Unknown

 

 

 

 

 

 

 

 

 

 

 

ମେଘମାଳା

ନରସିଂହ ସାହୁ

 

ଓଡ଼ିଶା ସରକାରଙ୍କ ସାମାଜିକ ପ୍ରୌଢ଼ଶିକ୍ଷା ଅନୁଷ୍ଠାନ ଦ୍ଵାରା

୧୯୫୬ ର ପ୍ରତିଯୋଗିତାରେ

 

ଶ୍ରେଷ୍ଠ ଉପନ୍ୟାସ ରୂପେ ବିବେଚିତ ଓ ପୁରସ୍କୃତ

 

ମେଘମାଳା

 

ମିନତି, ଅଭିଯୋଗ, ବଡ଼ଘରର ଝିଅ, ସେବାସଦନ,

ତଳମାଳ ଡାକେ, ତଳେ ମାଟି ଉପରେ ଆକାଶ,

ବିପ୍ଳବ, ଅଠାକାଠି, ହେମହରିଣୀ, ପାଗଳ,

ଚନ୍ଦ୍ର ଓ ଚକୋର ଆଦି

ଉପନ୍ୟାସର ଲେଖକ–

 

ନରସିଂହ ସାହୁ

✽✽✽

 

ନିଶବ୍ଦ ରାତି ମେଘ ଝରୁଛି

 

ରେଖା !

 

ଭିକ ମାଗିବାଟା ଯେ କି କଷ୍ଟ ତା’ ତୁ ବୁଝିପାରିବୁ ନାହିଁ । ମଶାଣିର ମାଟି କଥା କହେ ନା । ନଈର ପାଣି ହସେ । ତେଣୁ ମୁଁ ଫେରିଆସେ ଦୁନିଆକୁ । ହାତପତେଇ ବିକଳ ହେଇ ଲୁହ ଆଖିରେ ଭିକ ମାଗେ ତୋ’ତେ–ତା’କୁ–ତା’କୁ । ଧନଦଉଲତ ନୁହେଁ–ମାନସମ୍ମାନ ନୁହେଁ–ସ୍ନେହ ସୋହାଗ ନୁହେଁ, ଖାଲି ମୁଠେ ଭିକ–ଭିକ । ଧନୀ ତୁ–ବଡ଼ଘରର ଅଲିଅଳ ରାଜଦୁଲଣା । ବହୁବାର ଚାଉଳ ମୁଠିଏ ଆଣି ଅଜାଡ଼ି ଦେଇଛୁ ମୋ ଥାଳରେ, ଯଦିବା ସେଥିରେ ଜୀବନ ନ ଥାଏ–ଥାଏ ବିରକ୍ତି–ଘୃଣା !!

 

ମୁଁ ଜାଣେ, ମୁଁ ମଣିଷ ନୁହେଁ–ପଶୁ, ରାକ୍ଷସ ! ଘୃଣା ହେବାରହିଁ କଥା । ପୁଣି ତୋ’ର ତୁଷାରହାର–ଧବଳା ଶୁଭ୍ରଅଙ୍ଗରେ ମୁଁ କୁଆଡ଼େ କର୍ଦ୍ଦମର ଛିଟା ବୋଳି ଦେଇଛି–ଦୁନିଆର ଏଇ ମତ । ହେଲେ ଦୁନିଆ ପାଇଁ ମୋର ଭାବନା ନ ଥିଲା । କିନ୍ତୁ ତୋ’ମତ ବି ଏଥିରୁ ଅଲଗା ନୁହେଁ । ସେଇଥିପାଇଁ ତୁ ଡରିଡରି ଥରିଥରି ମତେ ଡାକୁ ଭାଇ !!

 

ସେଥିପାଇଁ ମୋର ଅଭିମାନ ନାହିଁ, ଅଭିଯୋଗ ନାହିଁ । ବ୍ୟର୍ଥତାହିଁ ମୋ ଜୀବନ; ଅଶ୍ରୁ ହିଁ ମୋର ଚନ୍ଦନ; ହା–ହୁତାଶ ହିଁ ମୋର ଫଗୁଣ ସଞ୍ଜର ମଳୟ । ଖାଲି ଏଇ ଭାଇ ଡାକଟା–ଭାଇ ଡାକଟା ଶୁଣିଲେ ଛାତି ଭିତରଟା କାହିଁକି କଟକଟ ଡାକେ । ଫାଟିଗଲା ଭଳି ମନେ ହୁଏ । ମନେପଡ଼େ ଗୋଟିଏ ମଶାଣି । ଗୋଟିଏ ନଈ !! ଗୋଟିଏ ଲାଲ ନିଆଁର ଶିଖା !!!

 

ଆଚ୍ଛା ରେଖା । ଗୋଟିଏ କଥା କହିପାରିବୁ ? କହି ପାରିବୁ ଏ ଭାଇ କେବେ ମରିବ ? ଠାକୁରଙ୍କୁ ଡାକ–ଭାଇ ମରୁ, ଚଞ୍ଚଳ ମରୁ । ତା’ ହେଲେ ତୁ ଶାନ୍ତି ପାଇବୁ–ମୁକ୍ତି ପାଇବୁ ସବୁ ଜଞ୍ଜାଳରୁ–

 

ତୋର

ମାନନୀୟ ଭାଇ

✽✽✽

 

–ଏକ–

 

ଶଇଳ କୋଳରେ ତା’ ଘର–ମଳୟ ଯୋଉଠି ହାଇ ମାରେ, ଝରଣା ଯୋଉଠି ଗୀତ ଗାଏ, ଫୁଲ ଯୋଉଠି କର୍‌କର୍ ହେଇ ହସେ । ସେଇ ସପନ ରାଇଜର ରାଜକୁମାରୀ ସେ । ତା’ର ଗୋଟିଏ ହସରେ କୋଟିଏ ଚନ୍ଦ୍ରଉଦିଆ ଜଳି ଉଠେ ।

ଜଳିଉଠେ ରୂପ । ଜଳିଉଠେ ଆଶା ଆଲୋକର ଅପରୂପ ଝଲକ । ପାଦ ଅଟକି ଯାଏ-। ବାଟଚଲା ବାଟୋଇ ଆନମନା ହୋଇ ଚାହିଁରହେ ଘଡ଼ିଏ । ଦେଖେ ବନର ହରିଣୀଟିଏ ମନ ଆନନ୍ଦରେ ଡେଇଁ ଡେଇଁ ନାଚି ନାଚି ଶ୍ୟାମଳ ଗଛଗହଳି କୋଳରେ ହଜି ଯାଉଛି ।

ସ୍କୁଲରେ ସଭିଙ୍କର ସେ ଆଦରର ଧନ । ରାସ୍ତାଧାରରେ ସହସ୍ର ଆଖି ଲାଖିରହେ ତାହାରି ଉପରେ । କୁଆଁର ପୂନେଇଁରେ ତା’ରି ମିଠା ସ୍ୱର ତୁହାଇତୁହାଇ ଭାସି ଆସେ ସଂଜ ପବନରେ । ସେ ହସେ, ଖେଳେ, ନାଚେ, ଗୀତ ଗାଏ । ବର୍ଷାକାଳର କୂଳ ଉଛୁଳା ନଈ ଭଳି କଳକଳ ଛଳଛଳ ହୋଇ ବହିଯାଏ ଅନନ୍ତ କୋଳକୁ । ସଭିଙ୍କ ମୁହଁରେ ତା’ ପ୍ରଶଂସା । ସଭିଙ୍କ ଆଖିରେ ସେ କାନ୍ତ, କୋମଳ, କମନୀୟ ।

ସେଇ ‘ମେଘମାଳା’ । ରାଶିରାଶି ମେଘ ଯୋଉଠି ଭାସିଭାସି ଆସେ ନୀଳ ପାହାଡ଼ର ମଥା ଚୁମି; ଯୋଉଠି ଚଉଦିଗରେ ଖାଲି ପାହାଡ଼ ଆଉ ପାହାଡ଼–ଶ୍ୟାମଳ, କୋମଳ, ବିଶାଳ, ନୀଳ ପାହାଡ଼ମାଳା; ଯାହାର ଅପୂର୍ବ ରୂପସମ୍ଭାରରେ ମୁଗ୍‌ଧ ହୋଇ ସରଗର ଦେବତା ଏଇ ଧୂଳିର ଧରଣୀକି ଓହ୍ଲେଇ ଆସନ୍ତି, ସେଇ ଦେବଭୂଇଁ–ସେଇ ଦେବଦୁର୍ଗ ‘ଦେବଗଡ଼’ରେ ତା’ର ଲୀଳା ଖେଳା–ସେଇଠି ତା’ର ଅଳସ ମରାଳ ଗତି । ମେଘ ଭଳି ସେ ଗମ୍ଭୀର । ମେଘ ଭଳି ସେ କରୁଣ ରୁଚିର, ସଜଳ....ମେଘମାଳା...

 

ମେଘମାଳାକୁ ମୁଁ ଦେଖିବାକୁ ଯାଇଥିଲି, ଯୋଉଦିନ ସେଦିନ ଶ୍ରାବଣ କୃଷ୍ଣନବମୀ । ଆକାଶରେ ମେଘବାଦଲ ଫାଟି ପଡ଼ୁଥାଏ । କଳା କିଟିକିଟି ଅନ୍ଧାରରେ ଘରଦ୍ୱାର ଗଛଲତା ପାଣିପବନ ସବୁ ହେଇଥାଏ ଏକାକାର । ଗଲି । ହେଲେ ପାଦ ମୋଟେ ଚଳୁ ନ ଥାଏ । ଏ ଘରେ ମୁଁ ଏକାବେଳକେ ଅପରିଚିତ । ସେଥିରେ ପୁଣି ଏଡ଼େ ଦୁର୍ଗମ ରାତି । ମେଘ, ବର୍ଷା, ବିଜୁଳି, ଘଡ଼ଘଡ଼ି । ଏତେବେଳେ କୌଣସି ତରୁଣୀକୁ ଦେଖା କରିବା ଖାଲି ଅସଙ୍ଗତ ନୁହେଁ, ଅଭଦ୍ରାମି । ଭାବିଲି ଫେରିଯାଏ ହୋଟେଲ୍‌କୁ । ରାତି ପାହୁ । କିନ୍ତୁ କେଜାଣି କାହିଁକି ମନ ମୋଟେ ବୁଝିଲା ନାହିଁ-। ଲଗାମଛଡ଼ା ଘୋଡ଼ା ଭଳି ଅମାନିଆ ହେଇ ଖାଲି ଧାଇଁଲା ଆଉ ଧାଇଁଲା ।

 

ଶିବବାବୁ ମୋର ବନ୍ଧୁ, ପୁଣି ଶିବବାବୁ ତେଣେ ତା’ ସ୍ୱାମୀଙ୍କର ମାମୁଁପୁଅ ଭାଇ–ଦିଅର । ତାଙ୍କରି ଜରିଆରେ ସେ ନିମନ୍ତ୍ରଣ କରିଥିଲା ମତେ । ମୋର ଗୋଟିଏ ବହି ପଢ଼ି ସେ କୁଆଡ଼େ ଭାରୀ ମୁଗ୍‌ଧ । ସେଇଥିପାଇଁ ଏ ନିମନ୍ତ୍ରଣ ।

 

ଯିବି କି ନାହିଁ, ଯିବି କି ନାହିଁ ଭାବୁ ଭାବୁ ଆସି ପହଞ୍ଚି ଯାଇଥିଲି ଦୁଆର ମୁହଁରେ । ଅଜାଣତରେ ହାତ ଉଠିଗଲା କବାଟ ଉପରକୁ । କବାଟ ଖୋଲିଲା । ମେଞ୍ଚାଏ ଇଲେକ୍‌ଟ୍ରିକ୍ ଆଲୁଅ ଆସି ବିଞ୍ଚି ହୋଇପଡ଼ିଲା ବାହାରେ ।

 

‘ଆସନ୍ତୁ’ । ଏ ଝଡ଼ରାତିରେ ଅତିଥି ଆସିବେ ବୋଲି ଆଶା ନ ଥିଲା,–ମଥାରେ ଓଢ଼ଣା, ଆଖିରେ ଲାଜ ସଙ୍କୋଚ, ଓଠରେ ସରୁ ହସର ରେଖାଟିଏ । ଦୁଇହାତ ତୋଳି ପ୍ରଣାମ କଲା ମେଘମାଳା ।

 

ମେଘମାଳା...ମେଘର କନ୍ୟା । ମେଘ କୋଳରେ ଶୋଇଶୋଇ, ହାଲୁକା ମେଘ କୋଳରେ ପହଁରି ପହଁରି ଭାସିବୁଲେ ସେ ଆକାଶସାରା । କଜଳକଳା ମେଘ ଦେହରେ ସୁନାର ଗାରଟିଏ–ଚପଳା, ଦାମିନୀ, କ୍ଷଣପ୍ରଭା । ହେଲେ ସେ ମେଘମାଳା ଆଉ ଏ ମେଘମାଳା ଭିତରେ ଆକାଶପାତାଳ ତଫାତ୍ । କୋଟି କ୍ଷଣପ୍ରଭା ଏକାଠି ହେଲେ ବି ତା ସହିତ ସରି ହେବନି । କହନ୍ତି ସ୍ୱର୍ଗରେ ରତି, କିନ୍ତୁ ମାଟିମରତରେ ଏତେ ରୂପ, ଏତେ ଯୌବନ....ମୁଁ କଳ୍ପନା କରି ପାରିଲି ନାହିଁ । ତା’ ମୁହଁକୁ ନିର୍ନିମେଷ ନୟନରେ ଚାହିଁ ରହିଲି, ।

 

‘ଠିଆ ହୋଇ ରହିଲେ ଯେ, କ’ଣ ଭାବୁଛନ୍ତି ?’

 

ଚମକି ପଡ଼ିଲି । ନମସ୍କାର ବି କରିନି ମୁଁ ।

 

‘ଆସନ୍ତୁ । ବାପା ମା’ ଆପଣଙ୍କୁ ଚାହିଁ ବସିଛନ୍ତି । ହଠାତ୍ ଏକ ଜରୁରୀ କାମରେ ଶିବ ଗଲେ କୁଚିଣ୍ଡା ।

 

ଯନ୍ତ୍ରଚାଳିତ ଭଳି ଆଗେଇଲି । ମନେହେଲା ଯେମିତି କୋଉ ସ୍ୱପ୍ନପୁରୀର ରାଜଜେମା ମତେ ହାତଧରି ବାଟ କଢ଼ାଇ ନେଉଛନ୍ତି ।

 

‘ଆସ ବାବା । ଏ ଗରିବ ଦୁଆରେ ଏତେଦିନେ ପାଦ ପଡ଼ିଲା–ହସିହସି କହିଲେ ରାମନାରାୟଣ ବାବୁ–ମେଘମାଳାର ଜନକ । ଜନକ ଓ ଜନନୀ ଉଭୟଙ୍କୁ ମଥା ନୋଇଁ ପ୍ରଣାମ କଲି । ମା’ ଡାକିଲେ–‘କିରା କରୁଛୁ ଲୋ ମାଳ । ଜଲ୍‌ଦି ପାଣି ଆଣ’ ।

 

‘ଏତେ ପାଣି ଖାଇ ଖାଇ ଆହୁରି ପାଣି ଦରକାର ?’––ହସ ହସ ମୁହଁରେ ଆସି ପହଞ୍ଚିଲା ମାଳ । ପାଣି ନାହିଁ । ହାତରେ ଶୁଖିଲା ଲୁଙ୍ଗି ଓ ଚଦର ।

 

‘ନାଁ ନାଁ, ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ । ମୁଁ ତ ବେଶୀ କିଛି ତିନ୍ତିନି’–ମୁଁ କହିଲି ।

 

ହସିଲା ପୁଣି ଝିଅଟି । କହିଲା–କଟକର ଲୋକମାନେ ଭାରୀ ଭଦ୍ର । ଭଦ୍ରତାର ମୂଲ୍ୟ ବୁଝନ୍ତି । କିନ୍ତୁ ଆନ୍ତରିକତାକୁ ସମ୍ମାନ କରନ୍ତିନି ବୋଧେ ।

 

ଲଜ୍ଜିତ ହେଲି,–‘କିନ୍ତୁ ମୁଁ ତିନ୍ତିଲି କୋଉଠି ? ହାତରେ ତ ଛତା ଥିଲା ।’

 

‘ଛୋଟ ଡଙ୍ଗା ଖଣ୍ଡିଏ ନେଇ ଆପଣ ବଢ଼ନ୍ତା ବହ୍ମପୁତ୍ର ପାର ହୋଇ ପାରିବେ ?’’

 

‘ବ୍ରହ୍ମପୁତ୍ର ଆଉ ବର୍ଷା ?’

 

‘କିଛି ନାହିଁ, ବର୍ଷାରୁ ବ୍ରହ୍ମପୁତ୍ରର ଉତ୍ପତ୍ତି । ଆଉ ବ୍ରହ୍ମପୁତ୍ରରୁ ବି ବର୍ଷାର । ଉଠନ୍ତୁ । ଯୁକ୍ତି କରି ଲାଭ ନାହିଁ । ଭୋକ କଲେ ମଣିଷ ଭାତ ଖାଏ । ଭୋକ କରିବାଟା ପାପ ନୁହେଁ କି ଭାତ ଖାଇବାଟା ବି ପାପ ନୁହେଁ ।’

 

‘କିନ୍ତୁ ଖାଲି ଭୋକ କଲେହିଁ କ’ଣ ଖାଇବା ଉଚିତ ? ସେଥିପାଇଁ ସମ୍ବଳ ଥିବା ତ ଆବଶ୍ୟକ । ତା ନହେଲେ ତ ଲୋକହସା ହବା କଥା ।’

 

‘ଭିକ୍ଷା ନିନ୍ଦନୀୟ ତା’ ମୁଁ ମାନୁଛି । କିନ୍ତୁ ସ୍ନେହ ଯେ ଉପେକ୍ଷା କରାଯାଇ ପାରେ ବା ଘୃଣାରେ ଫେରାଇ ଦିଆଯାଇ ପାରେ, ତା’ ମୋର ଧାରଣା ନ ଥିଲା । କ୍ଷମା କରିବେ’–ମାନିନୀ କଣ୍ଠରେ ଅଭିମାନର ଗୁରୁ ଝଙ୍କାର ।

 

ଅପେକ୍ଷା କରିବାକୁ ଆଉ ଅବସର ନ ଥିଲା । ପରାଜୟରେ ବି ତୃପ୍ତିର ହସ ଫୁଟିଉଠିଲା ମୁହଁରେ । ହାତ ବଢ଼ାଇଲି ଲୁଙ୍ଗି ଓ ଚଦର ପାଇଁ ।

 

କ’ଣ ଗୋଟାଏ ସଉଦା ଆଣିବାକୁ ରାମନାରାୟଣ ବାବୁ ବଜାରକୁ ଗଲେ । ମା’ ସାନ ଛୁଆଟିକୁ ଶୁଆଇ ପକାଉଥିଲେ । ମୋ ସହିତ ଯୋଡ଼ିବସିଲେ ଗପ ।

 

‘ହଁ ରେ ପୁଅ । କେତେ ବର୍ଷ ହେଲା ରହିଲୁଣି ଆମର ଏ ବାମଣ୍ଡା ରାଇଜରେ ?’

 

‘ଚାରିବର୍ଷ ହେଲା ମା’ ।

 

‘କେମିତି ଲାଗୁଛି ଏ ବଣ ରାଇଜ ?’

 

ଭାରୀ ଭଲ । ଏହାର ତରୁଲତା, ନଦୀ ଝରଣା, ମେଘମଳୟ ସବୁ ସୁନ୍ଦର । ଏଇ ବଣ ପାହାଡ଼ହିଁ ଏ ଦେଶକୁ ସରଗ କରିଛି ।

 

‘ଖାଲି କ’ଣ ସରଗ, ସରଗର ସରାଗ ଆଣି ବୋଳି ଦେଇଛି ପରା ମହୁଲ ଗଛରେ ।’–ହସିହସି ଆରଘରୁ କହିଲା ମେଘମାଳା ।

 

ପରିହାସ ବୁଝିଲି । କହିଲି–ସେ ଦୋଷ ତ ଆଉ ନେଳିଆ ପାହାଡ଼ ବା ନେଳିଆ ଆକାଶର ନୁହେଁ । ବାଡ଼ିରେ କନିଅର ଫୁଟେ । କିଏ ଫୁଲ ଦେଖି ହୁଏ ବିଭୋର । କିଏ ମଞ୍ଜି ଖାଇ ଶୁଏ ମରଣ ଶେଯରେ । ସେଥିପାଇଁ କ’ଣ ଦାୟୀ କନିଅର ?

 

ମା’ କହିଲେ–କ’ଣ କରୁଛି ସେ ବାୟାଣୀ ?

 

ଏଇ ମଦ କଥା–

 

କହ ନା’ରେ ବାପ । ମଦ ଏ ରାଇଜର ମୁଣ୍ଡ ଖାଉଛି । ମଦ ପିଇ କମ୍ ଉଦ୍‌ବାର୍ଯ୍ୟ ହୁଅନ୍ତି ଏ ଲୋକେ ।

 

କହିଲି–ହଁ, ବାରକୋଟରେ ଦେଖିଛି, ଝରାମାନେ ଖୁବ୍‌ ମଦ ପିଅନ୍ତି । ପିଇପିଇ ବେଚେତ ହୋଇ ପଡ଼ିଯାନ୍ତି ଏଠି ସେଠି ।

 

‘ଖାଲି ଝରା କାହିଁକିରେ ଏଠି ଭଲ ଲୋକମାନେ ବି ପିଉଛନ୍ତି । ଗରିବ ତାଲବର ପାଠୁଆ ଅପାଠୁଆ–କାହାକୁ ଛାଡ଼ିଛି କି ଏ ମହୁଲ ମଦ ?’

 

କେଜାଣି କାହିଁକି ମା’ କଥାରେ ହୋ ହୋ ହସି ଉଠିଲା ମେଘମାଳା । କହିଲା–କ’ଣ ସେଇଠୁ ଭାସିଗଲା ଯେ, କହିଲେ ପରା ଅଶୋକବାବୁ ଏଇଟା ସରଗ, ଆଉ ସୁରା ନ ପିଇଲେ ଦେବତାମାନେ ସରଗର ନନ୍ଦନକାନନ ଉପଭୋଗ କରିବେ କେମିତି ?

 

ଶ୍ଳେଷ ବୁଝିଲି, କିନ୍ତୁ କାହାକୁ ଲକ୍ଷ୍ୟ କରି ଏ ତୀର ତୂଣୀର ମୁକ୍ତ ହେଲା ବୁଝି ପାରିଲି ନାହିଁ ।

 

ଚା’ କପ୍‌ଟି ଧରି ଆରଘରୁ ଆସିଲା ମେଘମାଳା । କହିଲା–କ୍ଷମା କରିବେ କବି । ସିଗାରେଟ୍‌ ନାଇଁ ।

 

ହସିଲି । କହିଲି–ଆପଣ ବରଂ ମତେ କ୍ଷମା କରିବେ ଯେ ଆପଣଙ୍କୁ କଷ୍ଟ ଦେଲି ।

 

ମାନେ ?

 

ମାନେ ଏଇ ଚା’ ।

 

ଅର୍ଥାତ୍‌ ?

 

ଅର୍ଥାତ୍‌ ମୁଁ ଚା’ ଆଦୌ ଖାଏନି । ଆପଣ ଅଯଥା କଷ୍ଟ କଲେ ।

 

‘ହସେଇଲେ ଆପଣ । କବି ହେଇ ଆପଣ ଚା’ ଖାଆନ୍ତି ନାହିଁ ?’

 

ମୁଁ ଠୋ ଠୋ ହସି ଉଠିଲି । କହିଲି–ହସିବା କଥା ବରଂ ଆପଣ କହୁଛନ୍ତି । କବି ହେଲେ କ’ଣ ଚା’ ଖାଇବା ଗୋଟାଏ ଏକାନ୍ତ ପ୍ରୟୋଜନ ?

 

ନିଶ୍ଚୟ । ଏଥିରେ ଆଉ ସନ୍ଦେହର ଅବକାଶ କାହିଁ ?–କଣ୍ଠରେ ତା’ର ଅସୀମ ଦୃଢ଼ତା-। ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲି ।

 

ମୁହୂର୍ତ୍ତେ ନୀରବରେ କଟିଗଲା । କହିଲି–ଛାଡ଼ନ୍ତୁ ସେ ପରିହାସ । କୁହନ୍ତୁ ମତେ କେତେବେଳେ ବିଦାୟ ଦେବେ ?

 

ମାଳା ମୁହଁରେ କିନ୍ତୁ ସେଇ ତେଜ । କଣ୍ଠରେ ସେଇ ଦୃଢ଼ତା । କହିଲା–ପରିହାସ ମୁଁ କରୁନି ଅଶୋକବାବୁ । ଆପଣ ଚା’ ଖାଆନ୍ତୁ । ଚା’ ନ ଖାଇଲେ ଉଚ୍ଚକୋଟୀର କବି ହୋଇ ପାରିବେ ନାଇଁ ।

 

ଆଶ୍ଚର୍ଯ୍ୟ ! ଏ କି ପ୍ରଶ୍ନ ? ବାରମ୍ବାର ଏ କି ଅନୁନୟ ?

 

ପୁଣି ସେ ଆରମ୍ଭ କଲା–କବି ହେବାକୁ ହେଲେ ଚା’ ଖାଇବା ନିତାନ୍ତ ପ୍ରୟୋଜନ । ଖାଲି କ’ଣ ଚା’ ? ଚା’ ? ଚା’ ସାଙ୍ଗକୁ ସିଗାରେଟ୍‌ । ସିଗାରେଟ୍‌ ସାଙ୍ଗକୁ ମଦ । ମଦ ସାଙ୍ଗକୁ.....ପ୍ରେ–ୟ–ସୀ....

 

ଆଃ ମାଳା... ମୁଣ୍ଡ ମୋର ମାଟିରେ ମିଶିଗଲା ଲଜ୍ଜାରେ । ମା’ ଚିତ୍କାର କରି ଉଠିଲେ–ସବୁ ବୁଦ୍ଧି ଶୁଦ୍ଧି ପୋଡ଼ି ଖାଇଲୁ ଲୋ ଝିଅ । ଜଣେ ବିଦେଶୀ ଲୋକ ଆଗରେ... ଛି, ଛି, ଛି...ଚିଡ଼ି ଉଠି ବୁଢ଼ୀ ଆରଘରକୁ ଚାଲିଗଲେ ।

 

ମାଳା ଆଖିରୁ କିନ୍ତୁ ଅଗ୍ନି ଝରୁଛି । ସେ ଚାହୁଁଛି ପୋଡ଼ିବାକୁ । ପୋଡ଼ି ନ ପାରିଲେ ତୃପ୍ତି ନାଇଁ–ଶାନ୍ତି ନାଇଁ । କହିଲା–ଅଶୋକବାବୁ । ନାରୀକୁ ନେଇ ଏମିତି ଖେଳ ଖେଳାଯାଏ, ମୋର ଧାରଣା ନ ଥିଲା । ନାରୀ କ’ଣ ଖାଲି ମାଂସ ପିଣ୍ଡୁଳା ? ନାରୀ କ’ଣ ଖାଲି ରାତିର ଭୋଜୀ ??

 

କହିଲି–ଦେଖନ୍ତୁ, ଆପଣ ବଡ଼ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି । ବର୍ତ୍ତମାନ ଯାଆନ୍ତୁ । ପରେ କଥା ହେବା ।

 

କଥା କିଛି ନାହିଁ ଅଶୋକବାବୁ, ଖାଲି ଗୋଟିଏ ସଜଳ କାହାଣୀ । ଆପଣ ଜାଣନ୍ତି କି ନାଇଁ ଜାଣେନା, ଆପଣଙ୍କ ବନ୍ଧୁ ମଳୟରଞ୍ଜନ....

 

ମଳୟ ?

 

ହଁ ମଳୟ । ଲେଖକ । ଅଖ୍ୟାତ ନୁହଁନ୍ତି ପ୍ରଖ୍ୟାତ ।

 

କ’ଣ ହେଲା ତାଙ୍କର ? –ମୁଁ ଉଦ୍‌ବିଗ୍ନ ହୋଇ ପଚାରିଲି ।

 

ତାଙ୍କର ତ କିଛି ହେଇନି । ଯାହା ହେଇଛି ସେଇ ହିନିମାନୀ ହତଭାଗିନୀ ନାରୀଟିର । ଆପଣ ତାଙ୍କ ସ୍ତ୍ରୀଙ୍କୁ ଦେଖି ନାହାଁନ୍ତି–ମଞ୍ଜରୀ । ଲକ୍ଷ୍ମୀପ୍ରତିମା । ଫୁଟିଲା ପଦ୍ମଫୁଲ ପରି ମୁହଁଟି । ଏପରି ସ୍ତ୍ରୀକୁ କଡ଼ା କଥା ପଦେ କହିବାକୁ ବି ତୁଣ୍ଡ ଲେଉଟିବ ନାଇଁ....

 

କିନ୍ତୁ ମୁଁ ତ ଶୁଣିଛି ସେ ଖୁବ୍‌ ଭଲ ପାଆନ୍ତି ସ୍ତ୍ରୀଙ୍କୁ–

 

ହୁଁ, ଭଲ ପାଆନ୍ତି । ଖୁବ୍‌ ଭଲ ! ଦିନରାତି ଚବିଶ ଘଣ୍ଟା ମଦ ଖାଇ ଚୁର୍ । କ’ଣ ନା ଟିକିଏ ନିଶା ନ ହେଲେ ସ୍ୱପ୍ନ ଆସେ ନାଇଁ । ଆଉ ସ୍ୱପ୍ନ ନ ଆସିଲେ କବିତା କୁଆଡ଼େ ଫୁଟେ ନାଇଁ ମୁହଁରେ ।

 

ବାଃ, ଚମତ୍କାର ଯୁକ୍ତି–ମୁଁ ହସି ଉଠିଲି ।

 

କିନ୍ତୁ କ୍ଷତି ନ ଥିଲା । ମଦ ଖାଅ । ମାତାଲ ହୁଅ । ରାସ୍ତାଧାରରେ ଗଡ଼ । କିନ୍ତୁ ତା’ ବୋଲି ଗୃହର ଲକ୍ଷ୍ମୀକୁ ଗଡ଼ାଇ ଦେବ କାହିଁକି ? କି ଅଧିକାରରେ ? କି ଯୁକ୍ତିରେ ?–ମାଳା ଆଖିରେ ସେଇ ବହ୍ନିର ତେଜ ।

 

ତା’ହେଲେ କ’ଣ ମଞ୍ଜରୀକୁ ଅବହେଳା କଲା ମଳୟ ?–ଭୀତିଜଡ଼ିତ କଣ୍ଠରେ ମୁଁ ପ୍ରଶ୍ନ କଲି ।

 

‘ଅବହେଳା ନୁହେଁ ଅତ୍ୟାଚାର, ଜୁଲମ, ଜୁଆଚୋରି,’–ଆଖିରେ ରକ୍ତ ଫୁଟୁଥିଲା ତା’ର । ସେ ଚାହୁଁଥିଲା ଜାଳିଦେବାକୁ, ଜଳାଇ ଦେବାକୁ । ଜାଳିପୋଡ଼ି ମୁଠାଏ ପାଉଁଶ କରି ଦେବାକୁ । ଥରି ଥରି କହିଲା–ମଦ ଖାଇ ମଳୟରଞ୍ଜନ ପଡ଼ିଲେ ଅତସୀ ପ୍ରେମରେ । ତା’ପରେ ତମସା, ତା’ପରେ ମଣିମାଳା, ତା’ପରେ...ତା’ପରେ...

 

ବନ୍ଦ କର, ବନ୍ଦ କର ମାଳା !–ମୁଁ ଚିତ୍କାର କରି ଉଠିଲି ।–ଆଉ ଶୁଣିବାକୁ ଧୈର୍ଯ୍ୟ ନାହିଁ ମୋର ।

 

କିନ୍ତୁ ସେତିକିରେ ତ ସରିଲା ନାଇଁ ନାଟକ । ଅତସୀ ପାଇଁ, ତମସା ପାଇଁ ଦରକାର ହେଲା ଟଙ୍କା । ଦରକାର ହେଲା ଶାଢ଼ି, ସେଣ୍ଟ, ଟୟଲେଟ୍‌ । ତେଣୁ ଘରେ ବାପ ମା’ଙ୍କର ଯେତେ ଗଚ୍ଛିତ ଟଙ୍କା ଥିଲା, ସବୁ ଚାଲିଲା ସେଇ ସୁଅ ମୁହଁରେ । ଶେଷକୁ ସ୍ତ୍ରୀଙ୍କର ବାକ୍‌ସ ଭାଙ୍ଗି ଟଙ୍କା । ତା’ପରେ ଗହଣା । ଆସ୍ତେ ଆସ୍ତେ ଦେହର ସମସ୍ତ ଆୟ ଅଳଙ୍କାର ।

 

କିଛି ପ୍ରତିବାଦ କଲା ନାଇଁ ମଞ୍ଜରୀ ?

 

ପ୍ରତିବାଦ ? ନାରୀ କରିବ ପୁରୁଷ ବିରୁଦ୍ଧରେ ପ୍ରତିବାଦ ?? ହଁ, ପ୍ରତିବାଦ କରିଥିଲା, ଫଳ ବି ପାଇଛି । ଠୋ ଠୋ ମାଡ଼, ବିଧା, ଗୋଇଠା, ଚଟକଣା । ପୁଣି ଯାବତ ଅସଭ୍ୟ ଗାଳି । ପାଣ କଣ୍ଡରା ବି ସେଠି ଠିଆ ହୋଇ ପାରିବେ ନାହିଁ ।

 

ଇସ୍‌, ଏତେ ଦଶା ଥିଲା ମଞ୍ଜରୀ ଭାଗ୍ୟରେ ?–ଗୋଟିଏ ଦୀର୍ଘଶ୍ୱାସ ବାହାରି ଆସିଲା ମୋ ବକ୍ଷ ଦୋହଲାଇ ।

 

ମେଘମାଳା ହସି ଉଠିଲା । କହିଲା–ଭାଗ୍ୟର ଶେଷ ଫୁଲଝରି ଜଳିଲା ସେଇଦିନ, ଯୋଉଦିନ ମଦରେ ପୂରା ମତ୍ତ ହେଇ ଯୋଡ଼ିଏ ସଙ୍ଗିନୀ ଧରି ଆସି ପହଞ୍ଚିଲେ ମଳୟରଞ୍ଜନ । ମଞ୍ଜରୀ ଯେତେହେଲେ ନାରୀ–ବିବାହିତା ସ୍ତ୍ରୀ । ତା’ରି ପଲଙ୍କ ଉପରେ ଶୋଇ–ତାରି ଛାତି ଉପରେ ଦଳିମାଡ଼ି ସ୍ୱାମୀ ଆଉ ଗୋଟିଏ ସ୍ତ୍ରୀକୁ ଧରି ଥେଇ ଥେଇ ନୃତ୍ୟ କରିବେ, ୟା କୋଉ ପତ୍ନୀ ସହିବ ? ଚଉଦିଗ ଅନ୍ଧାର ଦିଶିଲା ତାକୁ । ଦଉଡ଼ି ଯାଇଁ ଗୋଟାଏ ବଜ୍ରମୁଥ ବସେଇ ଦେଲା ଗୋଟାକ ଗାଲରେ । ଆଉ ଯାଏ କାହିଁ ? କାଠଫାଳିଆ ଖଣ୍ଡେ ପଡ଼ିଥିଲା । ଅନ୍ଧ ହେଇ ଛୁଟି ଆସିଲେ ମଳୟ । ଗୋଡ଼ରୁ ମୁଣ୍ଡଯାକେ ସେକି ଦେଇଗଲେ ଠୋ ଠୋ–ଠୋ ଠୋ । ପିଚ୍‌ ପିଚ୍‌ ରକ୍ତ ବୋହି ପଡ଼ିଲା । କଟା କୁକୁଡ଼ା ଭଳି ଘରଯାକ ମନ୍ଥି ପକେଇଲା ମଞ୍ଜରୀ । ....ଅଶୋକ ବାବୁ-। ଅଶୋକ ବାବୁ । ମଞ୍ଜରୀ ନ ମଲା କାହିଁକି ? ମଞ୍ଜରୀର ମରିବା ଉଚିତ ଥିଲା । ନାରୀର ଶାନ୍ତି ମରଣରେ–ମରଣରେ । –ଭୋ ଭୋ କାନ୍ଦି ଉଠିଲା ମେଘମାଳା । ଟେବଲ ଉପରେ ମୁହଁମାଡ଼ି ଫୁଲି ଫୁଲି ବେଶୀ ବେଶୀ କାନ୍ଦିବାକୁ ଲାଗିଲା ।

 

ମୁଁ ସ୍ତବ୍‌ଧ । ପଦିଏ ଉତ୍ତର ଦେବାକୁ ବି ବଚନ ସ୍ଫୁରିଲା ନାହିଁ । ନୀରବରେ ନୀରଧାର କେତୋଟି ଝରିବାକୁ ଲାଗିଲା ।

 

–ଦୁଇ–

 

ଝଡ଼ର ବେଗ ଟିକିଏ କମିଗଲା । ବର୍ଷା ମଧ୍ୟ କମି କମି ଆସିଲା । ହେଲେ ମୋ ଫେରିବା ଆଉ ସେଦିନ ହେଲାନି । କେହି ଯେ ରାଣନିୟମ ପକେଇ ଖୁବ୍‌ ବଳାତ୍କାର କରି ଅଟକାଇଲେ, ତା ନୁହେଁ । ମେଘମାଳା ତ ମୋଟେ ମୁହଁ ଟେକି ଚାହିଁନି । କିନ୍ତୁ କେଜାଣି କାହିଁକି ମୁଁ ମୋଟେ ବଳ ପାଇଲି ନି ଫେରିବାକୁ । ମେଘମାଳା କାନ୍ଦୁଥିଲା । କାନ୍ଦି କାନ୍ଦି ଶେଷକୁ ନୀରବ ହୋଇଗଲା । ଆଉ ସେଇ ଯେ ନୀରବ ହେଲା, ତା ଯେମିତି ଯୁଗ ଯୁଗ ପାଇଁ । ସଚଳ ପ୍ରତିମାଟି କାଉଁରୀ କାଠିର ପରଶରେ ଦଣ୍ଡକେ ହେଇଗଲା ଅଚଳପାଷାଣ । ତୁଣ୍ଡରେ ଭାଷା ନାହିଁ । ନୟନରେ ଆଶା ନାହିଁ । ପିଣ୍ଡରେ ପ୍ରାଣ ଅଛି କି ନାହିଁ ସନ୍ଦେହ । ଆଃ, କି ବିକଳ ସେ ରୂପ । କି ଲୁହବୋଳା ସେ କରୁଣ ମୁହଁଟି !! ଛାତିର ସବୁ କୋହ ଚାପି ରଖି ମୁଁ ନୀରବରେ ଚାହିଁ ରହିଲି ସେଇ ମୁହଁଟି ଆଡ଼େ ।

 

ତା’ପରେ କେତେବେଳେ ଯେ ମୁଁ ଉଠିଛି, କେତେବେଳେ ଖାଇଛି, କେତେବେଳେ ଶୋଇବାକୁ ଯାଇଛି କିଛି ମନେ ନାହିଁ । ହଠାତ୍ ଗଭୀର ନିଶୀଥରେ ଦେଖିଲି ଗୋଟିଏ ସ୍ୱପ୍ନ–

 

କଳା କିଟିକିଟି ଅନ୍ଧାର । ଅନ୍ଧାର ଭିତରେ ଏକ ଭୟଙ୍କର ଗଭୀର କୂଅ । ସଢ଼ା ପଚା ମଇଳାରେ କୂଅ ଭର୍ତ୍ତି । ଦୁର୍ଗନ୍ଧରେ ନାକ ଫାଟୁଛି । ଗଛ ଡାଳରୁ ରହି ରହି ଡାକୁଛି ଗୋଟାଏ ପେଚା ।

 

ଦେହ ଶୀତେଇ ଉଠିଲା । ଭୟରେ ଜଡ଼ସଡ଼ ହୋଇ ଗୋଟାଏ ଗଛକୁ ଆଉଜି ରହିଗଲି-। କିନ୍ତୁ ଏ କ’ଣ ? ଏ କି ବିକଟ ଶବ୍ଦ ? ପେଚା ଡାକ ଟିକିଏ ରହିଛି କି ନାହିଁ, ଗୋଟାଏ କରୁଣ ଆର୍ତ୍ତନାଦ ଭାସିଆସିଲା । କାନ ଡେରିଲି–କୁଆଡ଼ୁ ଆସୁଛି ଏ ଶବ୍ଦ ? ଏଁ, ଏଁ, ଭୟରେ ମୋର ଆପାଦମସ୍ତକ ଥରିବାକୁ ଲାଗିଲା । ଏ ଯେ ମଣିଷର କଣ୍ଠସ୍ୱର । ପୁଣି ଏ ଯେ ସେଇ ଭୟଙ୍କର କୂଅ ଭିତରୁ !! କିଏ ଯେମିତି ବିକଳ ହୋଇ ଅତି କାକୁତିମିନତି ହୋଇ ଥରିଥରି ଡାକୁଛି–‘ନିଅ, ନିଅ ମତେ ଏ କୂଅ ଭିତରୁ । ମୋର ଶ୍ୱାସରୁଦ୍ଧ ହୋଇଗଲା । ଓଃ, ମରିଗଲି’ ମରିଗଲି....-

 

ଆହୁରି ଟିକିଏ କାନ ପାରି ଶୁଣିଲି । ଯହୁଁ ଯହୁଁ ଶୁଣିଲି, ତହୁଁ ତହୁଁ ହାତଗୋଡ଼ ଅବଶ ହେଇ ଆସିଲା । ମନେହେଲା ଏଇ ମୁହୂର୍ତ୍ତରେ ଯେମିତି ପ୍ରାଣବାୟୁ ଉଡ଼ିଯିବ । ବୋଧେ ପାହାନ୍ତା ହେଇ ଆସିଲାଣି । ଶୀତଳ ପବନ ଧୀରେ ଧୀରେ ବହି ଆସୁଛି । ଆଉ ସେଇ ପବନର ପରଶ ପାଇ ସତେ ଯେମିତି ମରଣ ଶେଯରୁ ଉଠି ଆସିଛି ମଡ଼ା । ଆଉ ରହିରହି ଥରିଥରି ଡାକୁଛି–ନିଅ–ନିଅ ମତେ ଏ କୂଅ ଭିତରୁ ।

 

ବଡ଼ କରୁଣ, ବଡ଼ କଲିଜାଥରା ସେ ଡାକ । ପାଷାଣ ନୟନରୁ ବି ନୀର ଝରି ଆସିବ । ଭୟ ଲାଗୁଥିଲେ ବି କରୁଣାରେ ହୃଦୟ ଭରିଗଲା । ଆହୁରି ନିବିଷ୍ଟ ଚିତ୍ତରେ ଶୁଣିବାକୁ ଲାଗିଲି । ହଠାତ୍ ଯେମିତି ମନେହେଲା–ଏ ସ୍ୱର ଚିହ୍ନା ଚିହ୍ନା । ଏ ସ୍ୱର ଅତି ପରିଚିତ ବନ୍ଧୁର । ଅଜାଣତରେ ପାଦ ଚାଲିଲା । କିଏ ଯେମିତି ମତେ ଟାଣିଟାଣି ନେଇ ପହଞ୍ଚେଇଲା ସେ କୂଅ ପାଖରେ । କିନ୍ତୁ....କିନ୍ତୁ ଏ କଣ ? ଏ କିଏ ? ମୋର ପଞ୍ଚଭୂତ ଆତ୍ମା ଥରି ଉଠିଲା ଭୟରେ । ନିଜ ଆଖିକୁ ନିଜେ ବିଶ୍ୱାସ କରି ପାରିଲି ନାହିଁ । ଏ ଯେ ମଳୟ !! ମୋର ଅନ୍ତରଙ୍ଗ ବନ୍ଧୁ, ଉତ୍କଳର ଉଦ୍ଦୀୟମାନ କବି ମଳୟ !!!...ହତବାକ୍ ହୋଇ ଖାଲି ଚାହିଁରହିଲି । ସମସ୍ତ ଅଙ୍ଗ ମୋର ଜଡ଼ ପାଲଟି ଯାଇଥିଲା-

 

କେତେ ମୁହୂର୍ତ୍ତ ଏମିତି କଟିଲା । ସିନ୍ଦୂରା ଫାଟିଆସିଲା ବୋଧେ । କଳା ଅନ୍ଧାରର ଛାତି ଚିରି ଧଳା ଆଲୁଅ ମେଞ୍ଚାଏ ଦେଖା ଦେଲା ପୂରୁବ ଆକାଶରେ । ତା’ପରେ ଧୀରେ ଧୀରେ ଫୁଟି ଉଠିଲା ନାଲି ସୂରୁଜର କଅଁଳ ଆଭା । ମାଳମାଳ ଚଢ଼େଇ କଳକଳ ରବ କରି ଭାସି ଆସିଲେ ସରଗଛୁଆଁ ପାହାଡ଼ କୋଳରୁ ।

 

ଡାକିଲି–ମଳୟ ।

 

କିଛି ଉତ୍ତର ନାହିଁ ।

 

ପୁଣି ଡାକିଲି–ମଳୟ ! ମଳୟ !

 

ଗୋଟାଏ ଅଜଣା ଆଶଙ୍କାରେ ସେ ଯେମିତି ଥରି ଉଠିଲା । କହିଲା–ନା, ନା, ଆଉ ନୁହେଁ । ତୁ ଫେରିଯା’ ମଦନ । ତୋ ଗୋଡ଼ ଧରୁଛି, ଫେରିଯା’ । ଆଉ ମୋତେ ସେ ନରକକୁ ଟାଣେନା ।

 

ବୁଝିଲି । କହିଲି–ମତେ ଚିହ୍ନି ପାରୁନୁ ମଳୟ ? ମୁଁ ଯେ ତୋର ଅନ୍ତରଙ୍ଗ ବନ୍ଧୁ ।

 

ହଁ ଅନ୍ତରଙ୍ଗ–ଖୁବ୍‌ ଅନ୍ତରଙ୍ଗ । ତା’ ନ ହୋଇଥିଲେ ଏମିତି ଅନ୍ତର ଚିରି ଭଲ ପାଆନ୍ତା କିଏ ? ଏ ଅନନ୍ତ ନରକକୁ ଫିଙ୍ଗି ଦେଇଥାନ୍ତା କିଏ ?–ସେ ହୋ ହୋ ହସି ଉଠିଲା ।

 

ଅଶ୍ରୁ ସରି ଯାଇଥିଲା । ଖାଲି ଗୋଟାଏ ଦୀର୍ଘଶ୍ୱାସ ବକ୍ଷ ଫଟାଇ ଉଠି ଆସିଲା । କହିଲି–ହାୟରେ କପାଳ । ଶେଷରେ ତୁ ମତେ ଚିହ୍ନିଇ ପାରିଲୁ ନାହିଁ । ଏତେ ଅଧଃପତନ ପୁଣି ହେଇପାରେ ମଣିଷର ?

 

‘କିଏ ଭାଇ ତୁ ? କିଏ ବା ଆଉ ଏଠିକି ଆସିପାରେ ? ନା, ନା, ମତେ ଠକନା । ତୁ ନିଶ୍ଚେ ମଦନ ।’

 

ନା, ମୁଁ ମଦନ ନୁହେଁ, ଅଶୋକ ।

 

ଅ–ଶୋ–କ ??–ସେ ଚିତ୍କାର କରି ଉଠିଲା ।

 

‘ହଁ ଅଶୋକ । ତୋ ଚଲାପଥର ସାଥୀ ଅଶୋକ ।’

 

ସତେ, ସତେ ତୁ ଆସିଛୁ ଅଶୋକ ? ମରଣ ମୁହଁରୁ ଫେରାଇ ନେବାକୁ ସତେ ତୁ ଧାଇଁ ଆସିଛୁ ଦେବଦୂତ ? ଆ’–ଆ’ ଭାଇ ! ମୋ ହାତଟା ଟିକିଏ ଧ’ । ମତେ ଟିକିଏ ଉଠେଇ ନେ ଉପରକୁ । ଏ ଗଭୀର କୂଅ ଭିତରେ ଅଣନିଶ୍ୱାସୀ ହେଇଗଲିଣି ମୁଁ । ମତେ ଉପରକୁ ନେ–ଆଲୁଅକୁ ନେ । ଅଶୋକ ! ଅଶୋକ ! ତୋ’ ଗୋଡ଼ ଧରୁଛି, ନିର୍ଦ୍ଦୟ ହୋ ନା’ । ମତେ ନେ । ମତେ ନେ...କାନ୍ଦି ଆସିଲା ସେ ।

 

ସ୍ତମ୍ଭୀଭୂତ ହୋଇ ଚାହିଁ ରହିଥିଲି ମୁଁ । ଜଣକ ହସରେ ହସ ମିଳେଇବା ଯେତେ ସହଜ, ଲୁହରେ ଲୁହ ମିଶେଇବା ବୋଧେ ସେତେ ସହଜ ନୁହେଁ ।

 

ସେ ପୁଣି କହିଲା–ମତେ ଘୃଣା କରୁଛୁ ଅଶୋକ ? ଘୃଣା କରୁଛୁ ମୁଁ ମଦ ଖାଏ ବୋଲି-?

 

କହିଲି–ନା, ଯେ ମଦ ଖାଏ ମୁଁ ତାକୁ ଘୃଣା କରେନା ।

 

‘ବୁଝିଲି, ତୁ ଘୃଣା କରୁ ତାଙ୍କୁଇ, ଯାହାଙ୍କୁ ମଦ ଖାଇ ଦେଇଛି ?

 

‘ଠିକ୍’–

 

କିନ୍ତୁ ତୁ କ’ଣ ବିଶ୍ୱାସ କରିବୁ, ମଦ ଯାହାଙ୍କୁ ପୂରାପୂରି ଖାଇ ଦେଇଛି, ତାଙ୍କର ବି ହୃଦୟ ଅଛି । ସେଠି ବି ବେଳେବେଳେ ତରଙ୍ଗ ଉଠେ । ସେ ଆକୁଳ ହୁଏ ଫେରିଯିବାକୁ । ଫେରିଯିବାକୁ ସତ୍ୟର କୋଳକୁ–ସୁନ୍ଦରର କୋଳକୁ ।

 

ମଳୟ !

 

ମତେ ବିଶ୍ୱାସ କର । ମୋ ତଣ୍ଟି ଶୁଖିଗଲାଣି । ତାଳୁ ହେଲାଣି ଅଠା ଅଠା । ପେଟଭିତରୁ ଝଲକା ଝଲକା ରକ୍ତ ଛିଡ଼ି ଆସୁଛି । ଆଉ ନୁହେଁ । ଆଉ ଏଠି ମୁଁ ଦଣ୍ଡେ ବଞ୍ଚି ପାରିବିନି । ମତେ ନେ’, ମତେ ଫେରେଇ ନେ’ ଅଶୋକ ! ମତେ ଉଠେଇ ନେ’ ।

 

କିନ୍ତୁ ପୁଣି ଯଦି ତୁ କ୍ଷଣିକର ମୋହରେ ଅନ୍ଧ ହୋଇଯାଉ ?

 

 

ନା, ଆଉ ନୁହେଁ, ଏଇ ଆକାଶକୁ ଚାହିଁ ଶପଥ କରୁଛି–ଆଉ କେବେ ଏ ଅନ୍ଧାରକୁ ଫେରିବି ନାହିଁ । ଆଉ କେବେ ଛୁଇଁବି ନି ମଦ । ଆଜିଠାରୁ ମଦ ହେବ ମୋ ପକ୍ଷରେ ଗୋମାଂସ–ବିଷ୍ଠା ।

 

କିନ୍ତୁ ମୁଁ କ’ଣ ତୋତେ ଏଇ ଗର୍ତ୍ତ ଭିତରୁ ଉଠେଇ ପାରିବି ?

 

ହଁ, ପାରିବୁ–ନିଶ୍ଚୟ ପାରିବୁ । ଗୋଟାଏ ଦଉଡ଼ି ଆଣି ଏ କୂଅ ଭିତରକୁ ପକାଇ ଦେ’ । ମୁଁ ସେଟା ଟାଣ କରି ଧରିବି ଆଉ ତୁ ଧୀରେ ଧୀରେ ଉଠାଇ ନେବୁ ।

 

ମନରେ ଭାରୀ ଆନନ୍ଦ ଆସିଲା । ଯାହାହେଉ ମୋର ଅତି ଆପଣାର ବନ୍ଧୁକୁ ନରକ ପଥରୁ ଫେରାଇ ନେଇ ପାରିଲି । ଜୀବନରେ ଏତେବଡ଼ ସନ୍ତୋଷ ମିଳେ କାହାକୁ ? ଦଉଡ଼ି ଯାଇଁ ଗୋଟାଏ ମୋଟା ଦଉଡ଼ି ଆଣିଲି । ତା’ର ଗୋଟାଏ ପାଖ ଧରି ଆରପାଖ ଫିଙ୍ଗି ଦେଲି କୂଅ ଭିତରକୁ ।

 

ହଠାତ୍... ଚକ୍ଷୁର ପଲକରେ ଉଲ୍‌କା ଭଳି ଛୁଟି ଆସିଲା ଗୋଟିଏ ନାରୀ । ଆଖିରେ ସୂର୍ଯ୍ୟର ତେଜ । ବକ୍ଷରେ ବାତ୍ୟାର ସାହସ । ପାଦରେ ପ୍ରଭଞ୍ଜନର ଗତି । ଗୋଟାଏ ବଜ୍ର ଧକ୍‌କା ମାରି ମତେ ତିନିହାତ ଦୂରକୁ ଫିଙ୍ଗି ଦେଲା ଆଉ ଜବରଦସ୍ତି ଛଡ଼ାଇ ନେଲା ମୋ’ ହାତର ଦଉଡ଼ିଟା-

 

ମୁଁ ଡରିଗଲି । ଥରିବାକୁ ଲାଗିଲି ଗୋଟିପଣେ । କିଏ ସେ ଏ ନାରୀ ? କାହିଁକି ସର୍ବନାଶ କଲା ମଳୟର ? କାହିଁକି ତାକୁ ସେ ରସାତଳରେ ଚିରଦିନ କଲବଲ କରି ମାରିବାକୁ ଆରମ୍ଭ କଲା ଏ ଚକ୍ରାନ୍ତ ? ନାରୀ ଜାତି ପ୍ରତି ମୋର ଆଜନ୍ମ ଘୃଣା । ଆଜି ସେ ଘୃଣା ସହସ୍ରଗୁଣରେ ପରିବର୍ଦ୍ଧିତ ହେବାକୁ ଲାଗିଲା ।

 

କିନ୍ତୁ ଏ କ’ଣ ? ଦଉଡ଼ିଟା ପୂରାପୂରି କୂଅ ଭିତରକୁ ଫିଙ୍ଗି ନ ଦେଇ ସେ ଚେଷ୍ଟା କରୁଛି ଉଠେଇବାକୁ । ତା’ର ସମସ୍ତ ଶକ୍ତି ଦେଇ ଧୀରେଧୀରେ ଉପରକୁ ଟାଣୁଛି ।...ଧାଇଁଗଲି । କାଳେ ମୋ ସାହାଯ୍ୟ ଲୋଡ଼ା ହେବ, ଯେତେହେଲେ ସେ ତ ଅବଳା । ଗୋଟାଏ ପୁରୁଷକୁ ଉଦ୍ଧାର କରିବାର ଶକ୍ତି ତାର କାହିଁ ?

 

ସେତେବେଳକୁ ମଳୟ ପ୍ରାୟ ଉଠି ଆସିଥାଏ । ହଠାତ୍‌...ହଠାତ୍‌ ଗୋଟାଏ ବିରାଟ ଶବ୍ଦ ହେଲା । ଦଲକାଏ ମାଟି ଧଡ଼ାସ୍‌କିନା ଭୁଷୁଡ଼ି ପଡ଼ିଲା । ଗୋଟାଏ ନାରୀକଣ୍ଠର କରୁଣ ଚିତ୍କାର ଶୁଭିଲା–ଅଶୋକବାବୁ । ଅଶୋକବାବୁ ।...ମୁଁ ଚାଇଁକିନା ଚମକି ପଡ଼ିଲି, ଏ ମେଘମାଳା ନୁହେଁ ତ ? ଚାହିଁଦେଖେ ସେ ନାରୀ ନାହିଁ । ସେ ନାରୀ ଯେଉଁ ମାଟି ଉପରେ ଠିଆ ହୋଇଥିଲା, ସେଇ ମାଟି ଭୁଷୁଡ଼ିଛି । ଗୋଟାଏ ଗଛର ମୋଟା ଚେରକୁ ଧରି ରହିଯାଇଛି ମଳୟ । କୂଅ ଭିତରୁ ଖାଲି ଗଁ ଗଁ ଶବ୍ଦ ଶୁଭୁଛି ।

 

ମୁଁ ଭୋ ଭୋ କାନ୍ଦି ଉଠିଲି । ଚିତ୍କାର କରି ଉଠିଲି–ମେଘମାଳା ! ମେଘମାଳା !

 

କାହିଁ ? ଉତ୍ତର ନାହିଁ । କେହି ଶୁଣୁନାହିଁ ମୋ କଥା । ମୁଁ ଆହୁରି ଜୋରେ–ଆହୁରି ଜୋରେ ଡାକିଲି–ମେଘମାଳା ! ମେଘମାଳା ! ମେଘମାଳା !...

 

ମୁଣ୍ଡ ଉପରେ କା’ର କଅଁଳ ହାତର ପରଶ ଅନୁଭବ କଲି । କିଏ ଯେମିତି ଧୀରେଧୀରେ ଆଉଁସି ଦେଉଛି ଆଉ କହୁଛି–ଉଠ, ଉଠ–ମୁଁ ଯେ ତମରି ପାଖରେ ଠିଆ ହୋଇଛି ।

 

ଆଖି ମେଲି ହୋଇଗଲା । ଚାହିଁ ଦେଖିଲି–ସକାଳର ସୁନା ଆଲୁଅ ବିଞ୍ଚିହେଇ ପଡ଼ିଛି ଧରଣୀରେ । ସୁନାର ପ୍ରତିମା ମେଘମାଳା ସ୍ନାନ ସାରି କାକରଧୁଆ ସଜଫୁଲଟି ଭଳି ହସହସ ହୋଇ ମୋ ପାଖରେ ଠିଆ ହୋଇଛି । ଆଖିରେ ଆଖି ମିଳିଲା । ମୁହୂର୍ତ୍ତଟିଏ ଅପଲକ ନେତ୍ରରେ ଚାହିଁରହିଲା ସିଏ । କହିଲା–କ’ଣ ସ୍ୱପ୍ନ ଦେଖିଲେ ? ଛି, କେଡ଼େ ଲାଜର କଥା, ଏଡ଼େ ପାଟିରେ ମେଘମାଳା ମେଘମାଳା ଡାକୁଛ ।

 

ଗୋଟାଏ ଦୀର୍ଘଶ୍ୱାସ ପକାଇ କହିଲି–ମାଳା ! ତମେ ଅଛ ମାଳା ? ତମେ ଟିକଏ ମୋ ଆଗକୁ ଆସନା । ମୁଁ ଟିକିଏ ମନପୂରାଇ ତମକୁ ଦେଖେ ।

 

ସେ ହସିଲା । କହିଲା–କ’ଣ ପାଗଳ ହେଲେନା କ’ଣ ? ଯେ ଶୁଣିବ ସେ କ’ଣ କହିବ-? ଉଠନ୍ତୁ .....ମୋର ଦୁଇବାହା ଧରି ସେ ଉଠାଇ ଦେଲା । ମୁଁ ଖାଲି ବିସ୍ମୟବିମୂଢ଼ ହୋଇ ତା ମୁହଁକୁ ଚାହିଁ ରହିଥିଲି ।

 

–ତିନି–

 

ଶରତର ଏକ ଅଳସ ଅପରାହ୍ନ । କର୍ମ ଉପଲକ୍ଷେ ଦେବଗଡ଼ ଆସିଥାଏ । ଦେବଗଡ଼ରେ ସେଦିନ କ’ଣ ଗୋଟାଏ ଯାତ୍ରା । ବୋଧେ ଗଣେଶପୂଜା ହେବ । ବହୁଲୋକ ବେଶଭୂଷା ହୋଇ ଆନନ୍ଦ କୋଳାହଳରେ ମତ୍ତ ହୋଇ ସେଇଆଡ଼କୁ ଛୁଟିଥାନ୍ତି । ଦେଖିଲି–‘ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ ? ମୋଟେ ଆୟାସ ସ୍ୱୀକାର ନ କରି ବା ପାଦେ ହଲଚଲ ନ ହୋଇ ମଧ୍ୟ ଖାଲି ମୁଣ୍ଡ ଟିକିଏ ଟେକିଦେଲେ ଉପରେ ଶୋଭାର ଅସରନ୍ତି ଭଣ୍ଡାର–ଅଫୁରନ୍ତ ଝରଣା । ଏଥିରେ ପଥଶ୍ରାନ୍ତ ହେଇ ଯିବି କିଆଁ ସେ କଳକୋଳାହଳ ଭିତରକୁ ?

 

ଆକାଶ ନିର୍ମଳ ହୋଇ ଆସିଥାଏ । ଚଉଦିଗର ନୀଳପାହାଡ଼ମାଳା ଗାଢ଼ ନୀଳ ହୋଇ ମିଶିଯାଇଥାଏ ଆକାଶ ଦେହରେ । ମାଳମାଳ ଧଳାବଉଦ ସେଇ ସପନବୋଳା ପାହାଡ଼ କୋଳରେ ଭାସି ବୁଲୁଥାନ୍ତି ଲଟାପତର ଚରିଚରି–ଠିକ୍ ଭିଣା ତୁଳା ଭଳି–ନେଳିଆ ସାଗର ବକ୍ଷରେ ରୂପେଲି ଫେଣଭଳି । ନବ ଯଉବନୀର ଉତ୍‌ଥଳ ନୀଳ କୁନ୍ତଳରେ ପୁଷ୍ପବେଣୀ ସଜା ହେଲା ଭଳି କେତେ ଶୁଭ୍ର, ସ୍ୱଚ୍ଛ, ଟହଟହ ବନଝରଣା ବହି ଯାଉଥାନ୍ତି କଳରୋଳରେ ଦିଗନ୍ତ ପୂର୍ଣ୍ଣ କରି ।

 

ଏଥିରେ ଆତ୍ମହରା ନ ହେବ କିଏ ? କେଉଁ ପାଷଣ୍ଡ ଚାଲିଯିବ ଏ ସରଗସୁଷମାକୁ ଆକଣ୍ଠ ଉପଭୋଗ ନ କରି ?

 

ମୁଁ ଚାହିଁଥିଲି ଆଉ ଭାବୁଥିଲି ଆମେ କେଡ଼େ ଛୋଟ ହୋଇ ଯାଇଛେ । ମୁକ୍ତା ଛାଡ଼ି କେମିତି ଅହରହ ଧାଇଁଛେ କରକା ପଛରେ ।

 

‘ଆରେ ଅଶୋକ ଯେ, ଆ’, ଆ’ । ତତେ ତ ଖୋଜା ପଡ଼ିଥିଲା’–‘ପ୍ରମୋଦ ଉଦ୍ୟାନ’ ଆଡ଼ୁ ହସି ହସି ଆସି ପହଞ୍ଚିଲା ବସନ୍ତ । ବସନ୍ତ ମଳୟର ବନ୍ଧୁ ।

 

କି’ରେ ଖବର କ’ଣ ? –କରମର୍ଦ୍ଦନ କରୁକରୁ ପଚାରିଲି ।

 

କହିଲା–ଖବର ଆଉ ଆମ ପାଖରେ କାହିଁ ? ସବୁ ଖବର ତ ତୋ’ରି ପାଖରେ ।

 

ମୋ ପାଖରେ ?

 

ନିଶ୍ଚୟ । ତୁ ଯେତେବେଳେ ଗୋଟିଏ ଏତେବଡ଼ କବି । ଘରେ ଘରେ ତୋ’ର ଆଦର । ତୋ’ ପାଦ ଯାହାଘରେ ନ ପଡ଼ୁଛି, ତା ଘର ଅନ୍ଧାର ।

 

ଶ୍ଳେଷ ବୁଝିଲି, ହେଲେ ନ ବୁଝିଲା ଭଳି କହିଲି ତୋ’ର ଗୋଟାଏ ଭ୍ରମଧାରଣା ଅଛିରେ ବସନ୍ତ । ତୁ ବୋଧେ ଭାବିଛୁ ମୁଁ ଜଣେ ଇଲେକ୍‌ଟ୍ରିସିୟାନ୍‌ । କିନ୍ତୁ ପ୍ରକୃତରେ ତା’ ତ ନୁହେଁ ।

 

ସେ ହସି ଉଠିଲା, କହିଲା–ଇଲେକ୍‌ଟ୍ରିସିୟାନ୍‌ ଅପେକ୍ଷା କବି ବୋଧେ ବେଶୀ ଆଲୋକ ଦିଏ ।

 

‘ସେ ଆଲୋକ ଅନ୍ତରର, ପ୍ରାଙ୍ଗଣର ନୁହେଁ’ ।

 

‘କିନ୍ତୁ ସେଇ ଆଲୋକରେ ହିଁ ଫୁଲ ଫୁଟେ, ହସ ଛୁଟେ, ବାସ ଝରେ ।’

 

ହୁଏ ତ ଝରେ । କିନ୍ତୁ ସେ ଗୌରବ ତ ଏକା କବିର ନୁହେଁ । ସେ ଗୌରବ ବସନ୍ତର–ମଳୟର ।

 

ହଁ ମାନୁଛି, ବସନ୍ତ ଆସିଲେ ଫୁଲ ଫୁଟେ । ବସନ୍ତ କଅଁଳ ହାତ ଛୁଆଁଇ ଦେଇ କିଶୋରୀ ଦେହରେ ନେଶିଦିଏ ଯଉବନ । ମଳୟ ବୋଳେ ମଦ । ମଦନ ଆଣେ ମାଦକତା । କିନ୍ତୁ କବି ନ ଥିଲେ କିଏ ତା’ ଓଠରେ ଅମୀୟବୋଳା ହସର ରେଖାଟିଏ ଫୁଟେଇ ପାରନ୍ତା ? ପୁଣି ବକ୍ଷଭରା ପ୍ରଣୟ ଯେତେବେଳେ ତାକୁ ଉଚ୍ଚାଟ କରନ୍ତା, କାହା କୋଳରେ ଯାଇଁ ଢଳିପଡ଼ନ୍ତା ସେ ମାନମୟୀ ଅଭିସାରିକା ? କିଏ ଚୋରଙ୍କ ଭଳି ଅନ୍ଧାର ରାତିରେ ଛପିଛପି ଯାଇଁ ଲୁଟି କରନ୍ତା ତା’ ଯଉବନର ମହୁବନ ??

 

ବସନ୍ତ ।–ମୁଁ ତା’ ଦୁଇହାତ ଧରି ହଲାଇ ଦେଲି–କ’ଣ ଗୁଡ଼ାଏ ବାଚାଳଙ୍କ ଭଳି କହିଯାଉଛୁ । ବୋଧେ ଭୁଲି ଯାଉଛୁ ଏଇଟା ରାଜରାସ୍ତା ।

 

ତା’ ଆଗରୁ ବୋଧେ କବି ଭୁଲିଥିଲେ । ତା’ ନ ହୋଇଥିଲେ ସେଇ ରାଜରାସ୍ତା ଉପରେ ଠିଆ ହୋଇ ଏମିତି ବକବକ ହୋଇ ଚାହିଁ ନ ଥାନ୍ତେ ଆକାଶକୁ ।

 

ମୁଁ ଆକାଶକୁ ଚାହିଁ ନ ଥିଲିରେ, ଚାହିଁଥିଲି ଏଇ ପାହାଡ଼ ବକ୍ଷର ରାଶିରାଶି ମେଘମାଳା ଆଡ଼େ ।

 

ହଠାତ୍‌ କିଏ ବାଧାଦେଲା କଥାରେ । କହିଲା–ପାହାଡ଼ ବକ୍ଷର ମେଘମାଳା ଅପେକ୍ଷା ମେଘମାଳା ବକ୍ଷର ପାହାଡ଼ ବେଶୀ କମନୀୟ–ବେଶୀ ଲୋଭନୀୟ...ଗୋଟାଏ ସର୍ପ ଯେମିତି ଦଂଶନ କଲା ମତେ । ଠାଇକିନା ଚମକି ପଡ଼ି ପଛକୁ ଚାହିଁଦେଲି–ମଳୟ । ତା’ ପଛେ ପଛେ ହସିହସି ମଦନ । ଦିହିଁଙ୍କ ମୁହଁରୁ ଭଣଭଣ ମଦର ଗନ୍ଧ ବାହାରୁଛି ।

 

ମୁହୂର୍ତ୍ତେ ନୀରବରେ କଟିଗଲା । ସମସ୍ତେ ମୋ ମୁହଁକୁ ଚାହିଁ ମୁରୁକି ମୁରୁକି ହସୁଥାଆନ୍ତି-। ମୁଁ କ’ଣ କହିବି କିଛି ଉତ୍ତର ଖୋଜି ପାଇଲି ନାହିଁ ।

 

ମଳୟ କହିଲା–କି’ରେ ନୀରବ ହେଲୁ ଯେ, କହୁନୁ–ମେଘ ସୁନ୍ଦର ନା ମେଘମାଳା ସୁନ୍ଦର ?

 

ମଳୟ !

 

ଆରେ ଏଥିରେ ଦୁଃଖ କରିବାର କ’ଣ ଅଛି ? ବରଂ ତୋତେ କନ୍‌ଗ୍ରାଚୁଲେସନ୍‌ ଦେବାର କଥା ଯେ ତୁ ଏମିତିକା ମାଲ୍‌ଟା ଉପରେ ହାତ ପକେଇ ପାରିଲୁ ।

 

ମଦନ କହିଲା–ଆଃ, ମାଲ୍‌ଟାକି, ଶଳା ତୁଳା ତ । ସେଥିରେ ପୁଣି ଯୋଉ ପାହାଡ଼ । ସେ ଯୋଡ଼ା ପାହାଡ଼ ସନ୍ଧିରେ ମୁଣ୍ଡ ରଖି ସାରାଜୀବନ ନ ଖାଇ ନପିଇ ଶୋଇବାକୁ ଇଚ୍ଛା ହଉଛି ।

 

ବସନ୍ତ କହିଲା–ପାହାଡ଼ ନୁହେଁ ବେ, ବୋମା–ବୋମା । ପୁରୁଷ ମାରିବା ପାଇଁ ଯୋଡ଼ାଏ ବିରାଟ ହାଇଡ୍ରୋଜେନ୍‌ ବୋମା ।

 

ବାଧା ଦେଲା ମଳୟ । କହିଲା–ଦୂର୍‌, ଯେତେ ସବୁ ବାଜେ, ପାହାଡ଼ ଆଉ ବୋମା । ତମେ ଗୁଡ଼ାକ ନିରାଟ ଗଦ୍ୟ । ଆରେ ଫୁଲ–ଫୁଲ...

 

‘କେଡ଼େ କମନୀୟ କୁସୁମ

ମଗୁଶିର ମାସ ପାହାନ୍ତି ପହରେ

ହୋଇଥିବ କେଡ଼େ ଉଷୁମ !!’

 

ହୋ ହୋ ହୋଇ ତିନି ଜଣଯାକ ଏକାବେଳକେ ହସି ଉଠିଲେ । ରକ୍ତ ଟକ୍‌ମକ୍‌ ହେଇ ଫୁଟି ଆସିଲା ମୋର । କେଡ଼େ ଅଭଦ୍ର ଏମାନେ । କେଡ଼େ ଅସଭ୍ୟ ଏଇ ଶିକ୍ଷିତ ଯୁବକ । ଜଣେ ନାରୀର ଅନୁପସ୍ଥିତିରେ ତା’କୁ ଏମିତି ନଗ୍ନଭାବରେ ଚିତ୍ର କରିବାରେ କି ନିର୍ଲଜ୍ଜ ବାହାଦୂରୀ । କହିଲି–ମଳୟ । ତୋତେ କଥା କହିବାକୁ ବି ଘୃଣା ଲାଗୁଛି । ତୁ ଏତେ ନୀଚସ୍ତରକୁ ଓହ୍ଲେଇ ଯାଇଛୁ ବୋଲି ମୋର ଧାରଣା ନ ଥିଲା ।

 

କହିଲା–କହିବୁ ତ, ମରମ କହିଲେ ସମସ୍ତେ ଏମିତି କହନ୍ତି ।

 

କହିଲି–ଅଶୋକର ମରମ ଏତେ ନରମ ନୁହେଁ । ତା’ଛଡ଼ା ତୁମ୍ଭେମାନେ ଯେଭଳି ଇତର ସ୍ତରର ଆଲୋଚନା ଆରମ୍ଭ କରିଛ, ସେହିଭଳି କେହି ଇତର ଜନ ନ ହେଲେ ସେଥିରେ କର୍ଣ୍ଣପାତ ହିଁ କରିବ ନାହିଁ–ହୃଦୟକୁ ନେବା ତ ଦୂରର କଥା ।

 

କିନ୍ତୁ ଉତ୍ତମ ଜନ ଶ୍ରାବଣ ରଜନୀରେ ମେଘମାଳା କୋଳରେ ଶୋଇ କେଉଁ ଉତ୍ତମ କର୍ମଟି କଲେ ଶୁଣେ ?

 

କହିଲି–ଶୁଣିବା ଦରକାର ନାହିଁ । ଯେ କର୍ମ କରିଛି, ସେ ତା’ର ମର୍ମ ବୁଝେ ।

 

ଖାଲି ବୁଝିଲେ ତ ହେବ ନାହିଁ, ଦୁନିଆ ଆଗରେ ବୁଝେଇବା ବି ଦରକାର । ତା’ ନ ହେଲେ ସମସ୍ତଙ୍କୁ ଅଧମ କହି ନିଜେ ଉତ୍ତମ ବୋଲାଇବାର ଔଦ୍ଧତ୍ୟ ଦୁନିଆ ସହ୍ୟ କରିବ କାହିଁକି-?

 

ମାନେ ?

 

ମାନେ ତୋତେ କହିବାକୁହିଁ ହେବ ସେଦିନ ରାତିଟି ମେଘମାଳା କୋଳରେ କେମିତି କଟିଲା ?

 

ସଟ୍‌ଅପ୍‌–ଅସଭ୍ୟ ନିର୍ଲଜ୍ଜ କୋଉଠିକାର । ଆଉ ଥରେ ଏଭଳି କହିବୁ ତ.....

 

ହୋ, ହୋ ହେଇ ହସିଉଠିଲା ମଳୟ । କହିଲ–ତୁ ବୋଧେ ଜାଣି ନାହୁଁ ତୁ କୋଉଠି ଠିଆ ହେଇ କଥା କହୁଛୁ ।

 

ବେଶ୍‌ ଜାଣେ । ଆଉ ୟା’ ମଧ୍ୟ ଜାଣେ–ଏ ଦେଶରୁ ଆଇନ୍‌ ଉଠି ଯାଇନାହିଁ କିମ୍ବା ଅଶୋକ ବାହାରୁ କମି ଯାଇ ନାଇଁ ବଳ ।

 

ବସନ୍ତ ବୁଦ୍ଧିମାନ୍‌ । କହିଲା–ଆରେ ଆରେ ତମେ ରାସ୍ତା ମଝିରେ ଠିଆ ହେଇ ରୀତିମତ ଯୁଦ୍ଧ ଆରମ୍ଭ କରିଦେଲ ଯେ ।

 

ନ କରି ବାଟ କାହିଁ ?–ଯୋଗଦେଲା ମଦନ–ଖୋଜି ଖୋଜି ଯୋଉ ଗହନ କଥାଟି ମଳୟ ଧରିଛି, ସେଥିରେ କୋଉ ଋଷି ବାଳ ନ ଛିଣ୍ଡେଇ ରହିବ ?

 

କହିଲି–ପ୍ରଜାପତି ଫୁଲର ରେଣୁ ଖୋଜେ । କିନ୍ତୁ ମାଛି କ’ଣ ଖୋଜେ ଜାଣ ? ......ଘା’-

 

ବାସ୍‌ ବାସ୍‌, ବାହାଦୂରୀ ଦେଖେଇବାକୁ ହେବ ନାହିଁ । ସବୁ ଷ୍ଟୁପିଡିଟିର ସୀମା ଅଛି । ନିଜେ ଚୋରି କରି ପରକୁ ଖଣ୍ଟ ବୋଲି କହିବା ଯେମିତି ଭୀରୁତା ସେମିତି ନିର୍ଲଜ୍ଜତା–ମଳୟ କହିଲା ।

 

କହିଲି–ହଁ, ନିର୍ଲଜ୍ଜ ନ ହେଲେ ମଣିଷ ନିଜ ସ୍ତ୍ରୀକୁ ଛାଡ଼ି ପର ସ୍ତ୍ରୀକୁ ଧରି ଥେଇ ଥେଇ ହେଇ ନାଚେ ନାହିଁ ।

 

‘କିମ୍ବା ଝର୍‌ଝର୍‌ ବର୍ଷାରାତିରେ ମେଘମାଳା ଘରକୁ ଧାଏଁ ନାହିଁ କି ମେଘମାଳା କୋଳରେ ମୁହଁ ଗୁଞ୍ଜି ମେଘମାଳାର କୁଚକୁମ୍ଭ ଦୁଇଟିକୁ ଧରି ଦିନ ଆଠଟା ଯାଏ ଶୁଏନାହିଁ...’

 

ସଟ୍‌ଅପ୍‌–ସଟ୍‌ଅପ୍‌ ନନ୍‌ସେନ୍‌ସ । ଇଫ୍‌ ଇଉ ଟକ୍‌ ଏ ସିଙ୍ଗଲ୍‌ ଓ୍ୟାର୍ଡ ମୋର୍‌, ମାଇଁ ସୁଜ୍‌ ଉଇଲ୍‌ କିସ୍‌ ଇଉ–

 

ହ୍ୱାଟ୍‌ ? ହ୍ୱାଟ୍‌ ଇଉ ସେ ବ୍ଲଡି ଫୁଲ ?–ଛୁଟିଆସି ଠାଇକିନା ଗୋଟାଏ ଚଟକଣା କଷିଦେଲା ମଳୟ । ମୁଁ ବସିଗଲି ।

 

ସମସ୍ତେ ଆଶା କରୁଥିଲେ ମୁଁ ଓଲଟି ପଡ଼ି ଲଗାଇ ଦେବି ସପାସପ୍‌ । ଆଉ ତା’ ଫଳରେ ରୀତିମତ ଆରମ୍ଭ ହେଇଯିବ ରାମରାବଣ ଯୁଦ୍ଧ । କିନ୍ତୁ କେଜାଣି କାହିଁକି ମୁଁ ବସିଗଲି । ମୁଁ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି, କେମିତି ମୁଁ ନିଜକୁ ନିଜେ ସମ୍ଭାଳି ନେଇ ପାରିଲି ।

 

ଫେଁ ଫେଁ ହେଇ ମଦନ ହସୁଥାଏ । ବସନ୍ତ କିନ୍ତୁ ନୀରବ । ମୂକ ଭଳି ଚାହିଁ ରହିଥାଏ ଖାଲି । ଆଖିରେ ଯେମିତି ଲୁହ ଫାଟି ପଡ଼ୁଛି । ମଳୟ ପୁଣି ଗୋଟାଏ କ’ଣ କହି ଆସୁଥିଲା, ବାଧାଦେଲା ବସନ୍ତ । କହିଲା–ତୁ’ ହିଁ ହାରିଗଲୁରେ ମଳୟ । ଅଶୋକ ଜିତିଲା ।

 

ସେତେବେଳକୁ ବହୁ ଲୋକ ଆସି ଜମା ହୋଇ ପଡ଼ିଥାନ୍ତି । ସଭିଙ୍କ କଣ୍ଠରେ ସହାନୁଭୂତି–ହାୟଃ, ହାୟଃ, ମଳୟ ଅଶୋକ ଏତେ ବନ୍ଧୁ–କ୍ଷୀରନୀର ସମ୍ପର୍କ । ଶେଷରେ ମଳୟ ଅଶୋକକୁ ମାଇଲା !!

 

ମଳୟ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଥାଏ । ବସନ୍ତ ପୁଣି କହିଲା ହଁ ହଁ, ତୁ ହାରିଗଲୁ । ତୁ ହାରିଗଲୁ ।

 

ଆଉ ତିକ୍ତତା ବଢ଼େଇବାକୁ ଇଚ୍ଛା ହେଲାନି । ଧୀରେ ଧୀରେ ଉଠି ଠିଆ ହେଲି । କାହାକୁ କିଛି ନ କହି ନୀରବରେ ଜନତା ଭିତରୁ ବାହାରି ଆସିଲି ।

 

–ଚାରି–

 

ଦୁଇମାସ କଟିଯାଇଛି । ଏହା ଭିତରେ ଯେ ମୁଁ ଦେବଗଡ଼ ଯାଇନି, ତା’ନୁହେଁ । କିନ୍ତୁ ଇଚ୍ଛା କରି ଯାଇନି ତା’ ଘରକୁ । ତୁଷାରହାରଧବଳା ଶୁଭ୍ରବସନା ସରସ୍ୱତୀଙ୍କ ଅଙ୍ଗରେ କର୍ଦ୍ଦମଛିଟା ବୋଳିବା ଖାଲି ଅନ୍ୟାୟ ନୁହେଁ, ଏକ ଅକ୍ଷମଣୀୟ ଅପରାଧ ଏଇ ମୋର ଧାରଣା ।

 

ସେଦିନ–

 

ପିଅନ୍‌ ଆଣି ଚିଠିଗୁଡ଼ିଏ ଦେଇଗଲା । ଅଫିସ୍‌ ଚିଠି । ଦୁଇଖଣ୍ଡ ମାତ୍ର ଘରୋଇ । ଖଣ୍ଡେ ପୋଷ୍ଟକାର୍ଡ–ଭଦ୍ରଖରୁ ମୂଷିଭାଇ ଲେଖିଛନ୍ତି । ଭଲ ଅଛନ୍ତି । ବାସଭାଉଜ ସାଳନ୍ଦୀ ପାଣି ପିଇ ପିଇ ମୋଟା ହେଲେଣି । ଆରଟି ଲଫାଫା । ନୀଳ । ଅକ୍ଷରଗୁଡ଼ିକ ଥରିଲା ଥରିଲା–ଗୋଲଗୋଲ । ମୁଁ ଟିକିଏ ଚମକି ପଡ଼ିଲି । କୌଣସି ଝିଅ ଲେଖି ନାହିଁତ । ହଁ ଝିଅ । ଭଲ କରି ଚାହିଁଲି–ଏକ ନାରୀର ମୁକ୍ତାନିନ୍ଦୀ ମନଲୋଭା ଅକ୍ଷର !

 

ଆନନ୍ଦରେ ଆତ୍ମହରା ହେଇ ଉଠିଲି ମୁଁ । ଦୀର୍ଘ ତିନିମାସ ହେଲା କି ଅଶାନ୍ତି କି ଆବେଗ ଭିତରେ ମୁଁ ଏ ଚିଠିଟିକି ଚାହିଁ ରହିଥିଲି, ତା ମୁଁ ଜାଣେ । ଅଭିମାନରେ ଫୁଲି ଫୁଲି ଉଠୁଥିଲି ଦିନୁଦିନ । ଦୁଃଖରେ ଛାତି ଫାଟିଯାଇଛି । ଦିନେ ଦିନେ ଭାଙ୍ଗି ପଡ଼ିଛି ଏକାବେଳକେ । କିନ୍ତୁ ପାଷାଣୀ ପ୍ରାଣରେ କରୁଣାର ସଂଚାର ହେଇନି । ଚିରଦିନ ସେ ମୂକ, ଜଡ଼, ପଥର । ସେଇ–ସେଇ ମେଘମାଳା ମୋର ମାନସୀ–ବୁକୁତଳର କଲିଜାଠାରୁ ମୁଁ ଯାହାକୁ ବେଶୀ ଭଲପାଏ, ଯାହାର କଅଁଳ କଥା ମୋ ହୃଦୟରେ ଚନ୍ଦନର ଶୀତଳତା ବୋଳିଦିଏ । ତା’ରି ଚିଠି–ତାରି ଅନ୍ତରର ଛନ୍ଦହୀନ ସ୍ୱରଟିଏ । କିଏ ବିଭୋର ନ ହେବ ? ଆନନ୍ଦରେ ନୟନରୁ ଅଶ୍ରୁ ଝରି ଆସିଲା । ଭାବିଲି ଅଫିସ ସରୁ । ଘରେ ଯାଇଁ ନିରୋଳାରେ ଚିଠି ଟିକି ପଢ଼ିବି । କିନ୍ତୁ କେଜାଣି କାହିଁକି ମନ ଭାରୀ ଉଚ୍ଛନ୍ନ ହେଲା । ଅନେକଦିନୁ ତାକୁ ଦେଖିନି । ସେଇ ଚିଠିଟି ଭିତରେ ତା’ର ଗୋଲାପ ମୁହଁଟି ଯେମିତି ଚକ୍ଷୁର ପଲକରେ ଫୁଟି ଉଠିଲା । ହୃଦୟର ସବୁ ସ୍ନେହ ଦେଇ, ସବୁ ଦରଦ ଦେଇ ଚିଠିଟିକି ଖୋଲିଲି । କିନ୍ତୁ...କିନ୍ତୁ ଏ କଣ ? ଏ କିଏ ?...ଏଁ, ଏଁ, ମୁଁ ନିଜକୁ ନିଜେ ବିଶ୍ୱାସ କରି ପାରିଲି ନାହିଁ । ସ୍ତବ୍‌ଧହୋଇ ରହିଗଲି ଘଡ଼ିଏ । ସେ ଯେ କେବେ ମତେ ଚିଠି ଲେଖିପାରେ, ୟା’ ମୋ ସ୍ୱପ୍ନର ବାହାରେ । ଚିଠି ମେଘମାଳା ଲେଖିନି–ଲେଖିଛି ମ-ଞ୍ଜ-ରୀ...

 

ମଞ୍ଜରୀ–ମଳୟର ସ୍ତ୍ରୀ । ସେ ଦିନର ଅତ୍ୟାଚାର ପରେ ମଳୟ ଯାହାକୁ ତଡ଼ି ଦେଇଛି ଘରୁ, ଯିଏ ବର୍ତ୍ତମାନ ଦେବଗଡ଼ ଛାଡ଼ି ସୋନ୍‌ପୁରରେ–ପିତ୍ରାଳୟରେ ଦୁଃଖର ଦିନଗୁଡ଼ିକ ଗଣିଗଣି କଟାଉଛି, ସେ ଯେ କାହିଁକି ମତେ ଚିଠି ଲେଖିବ, କ’ଣ ବା ତା’ ସହିତ ଲେଖିବ; ବା କି ସଂପର୍କ କିଛି ବୁଝିପାରିଲି ନାହିଁ, ମୋର ଗଭୀର କୌତୂହଳରେ ଚିଠିଟିକି ପଢ଼ିଲି ।

 

ମାନନୀୟ ଅଶୋକ ବାବୁ !

 

ବଣରେ ବାଘ ଥାଏ । କିନ୍ତୁ ବାଘ ସାଙ୍ଗେ ସାଙ୍ଗେ ଯେ ଥାଏ ହଳଦୀ ବସନ୍ତ–ଥାଏ କମନୀୟ କୃଷ୍ଣସାର, ‘ଚୂଳିଆ’ ପାହାଡ଼ ଉପରେ ବସିବସି ମୁଁ ୟା ଭୁଲି ଯାଇଥିଲି । ମୋର କେମିତି ଧାରଣା ହେଇଥିଲା ସମସ୍ତେ ବାଘ–ସମସ୍ତେ ମୁଖ ବ୍ୟାଦାନ କରି ଧାଇଁ ଆସୁଛନ୍ତି ଗିଳିଦେବାକୁ । ସେଇଥିପାଇଁ ମୁଁ ନିରୀହ ଗୁଣ୍ଡୁଚିମୂଷାଟିକି ବି ଭୟ କରୁଥିଲି । ଆଜି ମୋର ସେ ଭ୍ରମ ଭାଙ୍ଗିଛି । ବଣର ଜନ୍ତୁ ମଣିଷ ଖାଏ–ସତ । କିନ୍ତୁ ବଣରେ ଏମିତି ବି ଜନ୍ତୁ ଥାଆନ୍ତି ଯିଏ ମଣିଷକୁ ରକ୍ଷା କରିବାପାଇଁ ଅକାତରରେ ଦେଇପାରନ୍ତି ଜୀବନ । ସେହି ବଣର ହାତୀ ଚରଣରେ ମୁଁ ଆଜି ଅନ୍ତରର ଗଭୀର ପ୍ରଣତି ଜଣଉଛି ।.....

 

ମୁଁ ଏହାର କ ବ ଚ କିଛି ହିଁ ବୁଝିପାରିଲି ନାହିଁ । କ’ଣ ଏ ଚିଠି ? କ’ଣ ଏହାର ଅର୍ଥ ? କାହାପାଇଁ ଏ କୃତଜ୍ଞତା ?–କିଛି ହିଁ ବୁଝି ହେଲାନି । ଗଭୀର ବିସ୍ମୟରେ ଅଭିଭୂତ ହୋଇ ଆଗକୁ ପଢ଼ି ଚାଲିଲି ।

 

...ଅଗନାଅଗନି ବନସ୍ତରେ କୁରେଇଁ ଫୁଲ ଫୁଟେ । ଫୁଟେ କୋଉ ଗହନଲତାର ଅନ୍ତରାଳରେ । କେହି ଦେଖେନି । କିନ୍ତୁ ତା’ର ମହକ ଭାସିଆସେ ସକାଳ ପବନରେ–ସଞ୍ଜ ପବନରେ । ମନ ବିଭୋର ହୋଇଉଠେ......ଆପଣଙ୍କୁ ମୁଁ ଦେଖିନି, ବସନ୍ତକୁ ଦେଖିଛି । କିନ୍ତୁ ସେ କି ଦେଖା ? ମୋର ସ୍ୱାମୀଙ୍କର ବନ୍ଧୁ–ଭଣ୍ଡ, ପ୍ରତାରକ, ମଦ୍ୟପ । ଗୋଟିଏ କଥାରେ ଅତି ନୀଚ ସ୍ତରର ଜଣେ ଲୋଫର୍‌ । ଆଉ ଆପଣ ଯେ ଠିକ୍‌ ସେହିଭଳି ହେଇଥିବେ ବା’ ତା’ ଠୁଁ ଟିକିଏ ବେଶୀ (ଯେହେତୁ ଆପଣ କବି)–ଏଇଆ ମୋର ଧାରଣା ଥିଲା । କିନ୍ତୁ ଆଜି ଦେଖୁଛି ବସନ୍ତ ବସନ୍ତ ନୁହେଁ କି ଆପଣ ଆପଣ ନୁହଁନ୍ତି ।....

 

ଏ ପୁଣି କ’ଣ ହେଲା ? ବସନ୍ତ, ବସନ୍ତ ନୁହେଁ । ମୁଁ, ମୁଁ ନୁହେଁ । ସମୁଦ୍ର, ସମୁଦ୍ର ନୁହେଁ । ଏ ପୁଣି କି ଯୁକ୍ତି ? ଭାରୀ ହସ ମାଡ଼ିଲା । ମନେ ପଡ଼ିଲା–ବଜାରୀ ଜଟି ଥାଆନ୍ତା କି ଅପୂର୍ବ ରସ ବାହାର କରନ୍ତା ୟା ଭିତରୁ ।...ପୁଣି ପଢ଼ି ଚାଲିଲି ।

 

...ଆପଣ ସେଦିନ ଫେରିଗଲେ । ଫେରିଗଲେ ମାଡ଼ ଖାଇ । ସେଦିନର ବଜ୍ର ଚାପଡ଼ା ହୁଏତ ଆଜିଯାଏ ମନେ ଥିବ । କିନ୍ତୁ କାହିଁକି ଯେ ଆପଣ ଫେରିଗଲେ ମୁଁ ପ୍ରଥମେ ବୁଝି ପାରି ନ ଥିଲି । ଏବେ ବୁଝୁଛି କେଡ଼େ ବିଶାଳ ଆପଣଙ୍କ ହୃଦୟ–କେଡ଼େ ଅତଳ ତା’ର ଜଳରାଶି ।

 

...ଆପଣଙ୍କ ଠାରୁ ଆଉ ପାହାଚେ ଉଠିଗଲା ବସନ୍ତ । ସେଇ ବସନ୍ତ–ମଦୁଆ, ଲଫଙ୍ଗା, ଭାଡ଼ୁଆ ବସନ୍ତ । ତା’ର ପୁଣି ଯେ ଏ ପରିବର୍ତ୍ତନ ହେବ, ମୁଁ ସ୍ୱପ୍ନରେ ବି କଳ୍ପନା କରି ନ ଥିଲି । ଆପଣଙ୍କ ଠଉଁ ସେ କି ଶିକ୍ଷା ପାଇଲା କେଜାଣି, ସେ ବଦଳିଗଲା । ବଦଳିଗଲା ଯେମିତି ଶରତ ଆସିଲେ ନଦୀର ଜଳ ବଦଳିଯାଏ–ହେଇ ଉଠେ ନୀଳ, ନିର୍ମଳ, ସୁନ୍ଦର ।

 

ଏକଥା ଆପଣ ବିଶ୍ୱାସ କରିବେ ନାହିଁ । କେହି ବିଶ୍ୱାସ କରିବେ ନାହିଁ । କିନ୍ତୁ ତା’ ହେଲା । ତା ହେଲା, କାରଣ ବସନ୍ତ ମଦ ଖାଉଥିଲା, ମଦ ବୋଳି ହେଉ ନ ଥିଲା । ଇଏ ଯେମିତି ମଦ ଖାଇ ଅଚେତ ହେଇ ଏଠି ସେଠି ପଡ଼ି ଯାଉଥିଲେ, ୟା ତା ଘରକୁ ପଶିଯାଉଥିଲେ ବା ମଦନ ଯେମିତି ସେଦିନ ପେଟେ ମହୁଲରସ ପିଇ ଟଳି ଟଳି ଆସୁ ଆସୁ ମୁହଁ ମାଡ଼ି ହେଇ ପଡ଼ିଲା ରସ୍ତାକଡ଼ର ନର୍ଦ୍ଦମାରେ–ମୁହଁରୁ ଫେଣ ବାହାରିଲା, ମାଛି ବସିଲେ, ବସନ୍ତକୁ କେବେ ସେମତି ଦେଖି ନାହିଁ । ବସନ୍ତ ମଦ ଖାଉଥିଲା, କିନ୍ତୁ ସାମାନ୍ୟ, ଯେତିକି ସିଏ ହଜମ କରି ପାରିବ । ମଦ କେବେ ତା’ ମୁଣ୍ଡ ଚୋବେଇ ଦେଇ ନ ଥିଲା । ନିର୍ମଳା ଫଳର ସଂଯୋଗରେ ସେଇ ପଙ୍କିଳ ଜଳ ଆଜି ନିର୍ମଳ ହୋଇ ଉଠିଲା ।

 

ହଁ, ଅସଲ କଥାଟି କହେ । ସେହିଦିନର ଘଟଣାଠାରୁ ସେ କ’ଣ ଭାବିଲା କେଜାଣି ବରାବର ୟାଙ୍କର ପିଛା ଧରିଲା । ସେଦିନ–ସମ୍ବଲପୁରରେ ଇଏ ମଦ ଖାଇ ପୂରା ମାତାଲ । ଗୋଡ଼ ଏଠି ବୋଇଲେ ସେଠି ପଡ଼ୁଛି । ମୁହଁରୁ ବାହାରୁଛି ଅନର୍ଗଳ ବକ୍ତୃତା । ଟଳି ଟଳି ଗୋଟିଏ ଗଳି ଭିତରକୁ ଇଏ ଚାଲିଲେ । ବସନ୍ତ ବୁଝେଇଲା, ନେହୁରା କଲା, ହାତଗୋଡ଼ ଧରି ଅଟକେଇଲା-। କିନ୍ତୁ ନା, କୌଣସିଥିରେ ହବ ନାହିଁ । ସେ ତା’କୁ ଠେଲି ଦେଇ ଆଗକୁ ଚାଲିଲେ । କହିଲେ–ପ୍ରତିମା...ପ୍ରତିମା ଘରେ ଆଜି ଅଭିସାର । ସ୍ୱର୍ଗର ଅପ୍‌ସରୀ ପ୍ରତିମା । ମୁଁ ତା’କୁ ଛାଡ଼ି ଦଣ୍ଡେ ରହି ପାରିବି ନାହିଁ...

 

ବସନ୍ତ ବୁଝିଲା ବେଶ୍ୟାଘରକୁ ଏ ଗତି । ଜୀବନ ମୂର୍ଚ୍ଛା କରି ସେ ତାଙ୍କୁ କୁଣ୍ଢେଇ ଧରିଲା-। କିନ୍ତୁ ହାୟଃ, ଯିଏ ନରକକୁ ଯିବ, ତା’କୁ ସରଗକୁ ଟାଣିଲେ ସେ ଆସିବ କାହିଁକି ? ସେ ଗୋଟାଏ ବଜ୍ର ଧକ୍‌କା ମାରିଲେ । ତିନିହାତ ଦୂରରେ ବସନ୍ତ କଚାଡ଼ି ହେଇ ପଡ଼ିଲା ।

 

ସୁନ୍ଦରୀ ତରୁଣୀଟିଏ । ବେଶଭୂଷାରେ ଅତି ଆଧୁନିକା । ଯଉବନ ଲହଡ଼ି ଭାଙ୍ଗୁଛି । ବୋଧେ ସିନେମା ଦେଖି ଆସୁଥିଲେ । ମଥାରେ ଇଭିନିଂ ଇନ୍‌ ପ୍ୟାରିସ୍‌ର ଭୁରୁଭୁରୁ ଗନ୍ଧ । ଇଏ ଚଣ୍ଡାଳ ମୁଣ୍ଡରେ କ’ଣ ଢୁକିଲା କେଜାଣି, କହିଲେ–‘ଆଃ, ଏଡ଼େ ସୁନ୍ଦର–ଏଡ଼େ ସୁନ୍ଦର ତମେ... କହି କହି ଗୋଟିପଣେ ତା’ଙ୍କୁ କୁଣ୍ଢେଇ ପକେଇଲେ !!

 

ଅଶୋକ ବାବୁ । କଳ୍ପନା କରୁଛ ଅବସ୍ଥା ? କଳ୍ପନା କରୁଛ ସେ ଭୟାବହ ପରିସ୍ଥିତି ? ଗଳିଟା ଟିକିଏ ଅପେକ୍ଷାକୃତ ଅନ୍ଧକାର । ହଠାତ୍‌ କାହାର ଦୃଷ୍ଟି ପଡ଼ି ନାହିଁ । ହେଲେ ତମ୍ପ ଲାଞ୍ଜରେ ପଦାଘାତ କଲେ ସେ ଛାଡ଼ିବ କାହିଁକି ? ଫାଇଁକିନା ଗର୍ଜି ଉଠିଲା ତରୁଣୀ–‘ଅସଭ୍ୟ ବର୍ବର କୋଉଠିକାର’–ଠାଇ ଠାଇ ଦି’ ଚଟକଣା କଷିଦେଲା ୟା’ଙ୍କ ଗାଲରେ ।

 

ଦଉଡ଼ି ଆସିଲା ବସନ୍ତ । ଦଉଡ଼ି ଆସିଲେ ବଜାରର ବହୁ ଲୋକ । ବସନ୍ତ କ’ଣ କଲା ଜାଣନ୍ତି ? ଜାଣନ୍ତି କ’ଣ କହିଲା ସିଏ ? କହିଲା–ମୋର ଭୁଲ୍‌ ହେଇଗଲା । ମଦନିଶାରେ ଚିହ୍ନି ପାରିଲି ନାହିଁ । ...ଜନତା ଉତ୍‌କ୍ଷିପ୍ତ । ଦୋଷୀ ନିର୍ଦ୍ଦୋଷ ଚିହ୍ନିବାକୁ ବେଳ କାହିଁ ? ବସିଗଲା ଠୋ ଠୋ ମାଡ଼–ସପାସପ୍‌ ସପାସପ୍‌ ଚଟକଣା । ଜଣେ କଲେଜ ଷ୍ଟୁଡ଼େଣ୍ଟ୍ ବୁଟ୍‌ ଜୋତାରେ ସେକି ଦେଇଗଲେ ପିଠି । ଝର୍‌ ଝର୍‌ ରକ୍ତ ଝରି ଆସିଲା । ଅଚେତ୍‌ ହୋଇ ପଡ଼ିଗଲା ବସନ୍ତ । ...ତରୁଣୀ ସ୍ତବ୍‍ଧ । ୟା’ଙ୍କର ନିଶା ବୋଧେ ଛାଡ଼ି ଛାଡ଼ି ଆସୁଥିଲା ।

 

ଏବେ ବି ବସନ୍ତ ଡାକ୍ତରଖାନାରେ । ଇଏ ଫେରି ଆସିଛନ୍ତି । ଫେରି ଆସିଛନ୍ତି ମରଣ ମୁହଁରୁ । ଫେରି ଆସିଛନ୍ତି ମଲା ମଣିଷ ଦେହରେ ଜୀବନ ବୋଳି ଦେବାକୁ–ଅମୃତ ବୋଳି ଦେବାକୁ । ଆପଣ କ’ଣ ବିଶ୍ୱାସ କରିବେ ଅଶୋକ ବାବୁ । ଇଏ ବର୍ତ୍ତମାନ ଏଇଠି–ସୋନପୁରରେ-। ତାଙ୍କରି ଛାତି ଉପରେ ମଥା ରଖି ମୁଁ ଏ ଚିଠି ଲେଖୁଛି ।

 

ଭାଷା କାହିଁ ଆପଣମାନଙ୍କ ଚରଣରେ କୃତଜ୍ଞତା ଜଣାଇବା ପାଇଁ ? ଆପଣମାନେ ଛୋଟ କୁରେଇଁ ଫୁଲ । ରୂପ ନାହିଁ, ରସ ନାହିଁ, ହସ ନାହିଁ, କିନ୍ତୁ ଯୋଉ ବାସଟିକିକ, ତା ଅପୂର୍ବ–ତା ସରଗର ସମ୍ପତ୍ତି । ଏ ଯୁଗର ଗୁଣ୍ଡୁଚିମୂଷା ଦେହରେ ଖାଲି ହାତ ବୁଲାଇ ଦେଲେ ତ ହେବ ନାହିଁ, ତାଙ୍କ ପାଦ ଉପରେ ମଥା ରଖି ଅଶ୍ରୁ ବୁହାଇ ଦେବା ଦରକାର । ସେହି ବାସନା ରହିଲା । ଚିଠି ଦେବେ ।

 

ମଞ୍ଜରୀ–

 

ମୁଁ ନିର୍ବୋଧଙ୍କ ଭଳି ଖାଲି ଚାହିଁ ରହିଥିଲି । ପାଷାଣ ପ୍ରାଣ ପାଇଥିଲା, ଶୁଣିଛି । କିନ୍ତୁ ଦେଖି ନ ଥିଲି । ମଳୟ ଯେ ପୁଣି ଫେରି ଆସିବ, ୟା’ କଳ୍ପନା କରିବାହିଁ ଧୃଷ୍ଟତା । କିନ୍ତୁ ସେ ଫେରିଲା । ଖାଲି ଫେରିଲା ନୁହେଁ, ମଳୟ ଆଜି ସତେ ସତେ ମଳୟ ପାଲଟି ଯାଇଛି । ମଳୟର ପରଶରେ ଆଜି ମାଧବୀଲତାରେ ମଣ୍ଡି ଯାଇଛି ଫୁଲ । ଫୁଲ ମୁହଁରେ ହସର ଝରଣା । ସେହି ଝରଣା ଆଡ଼େ ମୁଁ ମୁଗ୍‌ଧ ନୟନରେ ଚାହିଁ ରହିଲି ।

 

–ପାଞ୍ଚ–

 

ରାତି ପାହି ପାହି ଆସୁଛି । ପକ୍ଷୀର କାକଳି ଭାସି ଆସୁଛି ଘୁମନ୍ତ ପାହାଡ଼ର ବୁକୁ ଚିରି । ବିପୁଳ ଫେନିଳ ଜଳରାଶି କଳକଳ ଛଳଛଳ ହେଇ ଡେଇଁ ପଡ଼ୁଛି ଉତ୍ତୁଙ୍ଗ ପାହାଡ଼ କୋଳରୁ । ଅହରହ ଶବ୍ଦ ଶୁଭୁଛି ଝର୍‌ଝର୍‌–ଝର୍‌ଝର୍‌ । ...ନିଦ ଭାଙ୍ଗିଗଲା । କାନ ପାରିଲି ସେଇ ଝର୍‌ଝର୍‌ ଶବ୍ଦ ଆଡ଼େ ।

 

‘ବସନ୍ତ–ନିବାସ’–ବସନ୍ତର ନିତ୍ୟ ଲୀଳାଭୂମି । ରାଜା ସଚ୍ଚିଦାନନ୍ଦ ବୋଧେ ଦେବରାଜ ଇନ୍ଦ୍ରଙ୍କ ସହିତ ଟକ୍କର ଦେବାକୁ ଗଢ଼ିଥିଲେ ଏହି ବିଶାଳ ରାଜପ୍ରାସାଦ । ନନ୍ଦନକାନନରେ ବସିଲେ ମନରେ କି ପୁଲକ ଜାଗେ ଜାଣେନି, କିନ୍ତୁ ‘ବସନ୍ତ ନିବାସ’ରେ ଠିଆ ହେଲେ ନୟନ ଯୋଉ ସ୍ୱର୍ଗୀୟ ସୁଷମାରେ ଅବଗାହନ କରେ–ପ୍ରାଣ ଭିତରେ ସଂଚରିଯାଏ ଯୋଉ ପ୍ରେମର ଉଲ୍ଲୋଳ କଲ୍ଲୋଳ, ତା’ ବାସ୍ତବିକ ଅପୂର୍ବ–ଅନିର୍ବଚନୀୟ । କହନ୍ତି ସ୍ୱର୍ଗରେ ଗଙ୍ଗା ବହେ । କିନ୍ତୁ ଗଙ୍ଗା କ’ଣ ଏଡ଼େ ମଧୁର ସଙ୍ଗୀତ ଗାଉଥିବ, ଯାହା ଗାଏ ସଚ୍ଚିଦାନନ୍ଦଙ୍କ ଭାଟ–ଜଳଧାର ‘ପ୍ରଧାନ ପାଟ’ । ସେଇ ପ୍ରଧାନପାଟର ଝର୍‌ଝର୍‌ ସଙ୍ଗୀତ ମୁଁ ଉପଭୋଗ କରୁଥିଲି ‘ବସନ୍ତ-ନିବାସ’ର ଗୋଟିଏ ସୋଫା ଉପରେ ଶୋଇ ଶୋଇ ।

 

ସକାଳ ହେଲା । କଅଁଳ ସୂର୍ଯ୍ୟର ନାଲି ମୁରୁଜ ଉକୁଟି ଉଠିଲା ବଣ ପାହାଡ଼ ଉପରେ । ଚାରିଆଡ଼େ ରାଶି ରାଶି ପାହାଡ଼ । ଯୁଆଡ଼କୁ ଚାହିଁଲି ସାଡ଼େ ଢେଉଢ଼େଉକା ପାହାଡ଼ ଲମ୍ବି ଯାଇଛି ଅନନ୍ତ ଆକାଶ ବୁକୁରେ । ସତେକି ସାଗରର ଢେଉ ବା ସରଗର ମେଘମାଳା । ମନେ ହେଲା ସେ ତା ବି ନୁହେଁ । ସେ ଖାଲି ଗୋଟିଏ ସ୍ୱପ୍ନ–ବୁଡ଼ି ଯିବାର ହଜିଯିବାର ସେ ଖାଲି ମଧୁର ସ୍ୱପ୍ନ ଗୋଟିଏ-। ...ଆଉ ଶୋଇ ହେଲାନି । ଏତେ ରୂପ, ଏତେ ଶୋଭା ମୁଁ କେବେ ଦେଖି ନ ଥିଲି । ମୁଁ ଖାଲି ନାଚିବାକୁ ଲାଗିଲି । ମନେ ହେଲା ସତେକି ମୁଁ ପାଗଳ ହୋଇଯିବି । ରାଇଟିଂ ପ୍ୟାଡ଼୍‌ଟି ଟାଣି ଆଣି ଲେଖି ବସିଲି ଗୋଟିଏ କବିତା–

 

ଏତେ ସରଗସୁଷମା ବୁକେ ଭରି

କହ ହେବିନି ମୁଁ କିଆଁ ବନଚାରୀ ?

ମୁଁ ଗୋ ସାଗର ଢେଉରେ ଆଜି ଭାସିବି,

ମୁଁ ଗୋ ନୀଳ ନଭ କୋଳେ ଆଜି ମିଶିବି,

ମୁଁ ଗୋ ମଳୟର ତାଳେ ତାଳେ ନାଚିବି,

ମୁଁ ତ ହେବି ଆଜି ସରଗର ପରୀ

ଏତେ ସରଗ ସୁଷମା ବୁକେ ଭରି ।

ଆଜି ଛଇଳ ଶଇଳ ମତେ ଡାକେ

ଆଜି ପୀୟୂଷ ଝରଇ ଚଉପାଖେ,

ମୋର ବକ୍ଷୁ ଉଠଇ ଢେଉମାଳା ଗୋ

ମୁଁ ଗୋ ହୋଇଅଛି ଅଭିସାରୀ ବାଳା ଗୋ

ଆସ କିଏ ଭିଡ଼ି ଧରିବ ମୋ ଗଳା ଗୋ

ମୁଁ ଗୋ ମିଶିଯିବି ଗୋଟିପଣେ ବୁକେ,

ଆଜି ଛଇଳ ଶଇଳ ମତେ ଡାକେ ।

 

କବିତା ମୋର ବନ୍ଦ ହୋଇଗଲା । କଲମ ଖସି ପଡ଼ିଲା ହାତରୁ । ସତେ ଯେମିତି ସେଇ ଶଇଳ ଶିଖରରୁ ରସାତଳର ଅତଳ ଗହ୍ୱରରେ ମୁଁ ଖସିପଡ଼ିଲି । ଆଗରେ ଟଳି ଟଳି ଆସି ଠିଆ ହେଲା ମଳୟ ।।

 

ପିନ୍ଧାଲୁଗା କାଦୁଅ ଜୁଡ଼ୁବୁଡ଼ୁ । ଜାମା ତିନିଜାଗା ଚିରିଛି । ଦେହରେ ମୁହଁରେ ପଚା ପଙ୍କ-। ବୋଧେ କୋଉ ନର୍ଦ୍ଦମାରେ ପଡ଼ି ଯାଇଥିଲା । ଏବେ ଉଠି ଆସିଛି । ମୁଁ ଚେଇଁଛି ନା ସ୍ୱପ୍ନ ଦେଖୁଛି କିଛି ବୁଝିପାରିଲି ନାହିଁ । ଥକ୍‌କା ହେଇ ଚାହିଁ ରହିଲି ତା ମୁହଁକୁ ।

 

ଏଇ ମଳୟ ଛାତିରେ ମଥା ରଖି ଚିଠି ଲେଖିଥିଲା ମଞ୍ଜରୀ ? ଏଇ ମଳୟ ଫେରି ଆସିଥିଲା ମଞ୍ଜରୀର ଶବ ଦେହରେ ଜୀବନ ସଞ୍ଚାର କରିବାକୁ ?? ଏ କି ଛଳନା ? କାହିଁକି ମଞ୍ଜରୀ ମୋ ସହିତ ଏ ପ୍ରତାରଣା କଲା ? ମୁଁ କିଛି ବିନ୍ଦୁବିସର୍ଗ ବୁଝିପାରିଲି ନାହିଁ ।

 

ତା’କୁ କ’ଣ କହିବାକୁ ଯାଉଛି, ଦୂରରେ ଦେଖାଗଲା ଗୋଟିଏ ନାରୀ ମୂର୍ତ୍ତି । ଧୀରେ ଧୀରେ ଉଠି ଆସୁଛି ‘ବସନ୍ତ-ନିବାସ’ ଉପରକୁ । ଭାରୀ କୌତୂହଳ ହେଲା । କିଏ ସେ ଏ ନାରୀ ? ଏତେ ସକାଳୁ ବା ତା’ର ଏଠି କି କାମ ? ଚପରାସିକୁ ଡାକିଲି–ଏ କିଏ ଆସୁଛି ରେ ?

 

ମଳୟ ଉତ୍ତର ଦେଲା–ମଞ୍ଜରୀ

 

ମଞ୍ଜରୀ ?? ...ମୋର ବିସ୍ମୟ ସହସ୍ର ଗୁଣରେ ବଢ଼ିଗଲା ।

 

ମଞ୍ଜରୀ ଆସିଲା । ଶତ ବାରଣ ସତ୍ତ୍ୱେ ବି ମୋର ପାଦ ଉପରେ ମୁଣ୍ଡ ରଖି ପ୍ରଣାମ କଲା । ମୁହଁରେ ଭାଷା ନାହିଁ, ନୟନରେ ଖାଲି ଅଶ୍ରୁ । ...କେତେ ସମୟ ସେମିତି ନୀରବରେ କଟିଲା । ଶେଷରେ ସେହି ମଞ୍ଜରୀ ହିଁ ତୁଣ୍ଡ ଖୋଲିଲା । କହିଲା–ଆପଣଙ୍କ କାମ କାଲି ସରିଛି । ଏଠି ରହି ଆଉ ଲାଭ କ’ଣ ? ଚାଲନ୍ତୁ, ଆମ ଗରିବ ଘରେ ଟିକିଏ ପାଦ ଦେବେ ।

 

କିନ୍ତୁ...କିନ୍ତୁ...

 

ମଳୟ କହିଲା–ବୋଧେ ଘୃଣା କରୁଛୁ, ମୁଁ ମଦ ଖାଇଛି ବୋଲି । କିନ୍ତୁ ନା, ମୁଁ ଆଉ ମଦ ଖାଉନି ।

 

କିନ୍ତୁ ତୋର ଏ ବେଶଭୂଷା ?

 

ଓ–ସେ ହସିଲା । କହିଲା–ପୋଲିସ୍‌ ମାଡ଼ରେ ଲୁଗାଜାମା ଚିରି ଯାଇଥିଲା । ବାକି ବାଟରେ ଆସିଲାବେଳେ ସାଇକେଲ୍‌ରୁ ପଡ଼ିଗଲି । ସେଇଥିପାଇଁ ଏ କାଦୁଅ ।

 

‘ଚାଲନ୍ତୁ, ମୋର କରଯୋଡ଼ି ବିନୀତ ଅନୁରୋଧ ।’––

 

ମଞ୍ଜରୀକି ଚାହିଁଲି । ଟିକିଏ ଇତସ୍ତତଃ ନ କରି କହିଲି–ବେଶ୍‌ ଚାଲ, ମୋର ଆପତ୍ତି ନାହିଁ ।

 

ସମସ୍ତେ ସଦଳବଳେ ଉଠିଲୁ ।

 

..............

 

ସ୍ନାନ ଓ ଭୋଜନ ପରେ ଦୁହେଁ ଏକତ୍ର ଗୋଟିଏ ପଲଙ୍କ ଉପରେ ଶୋଇଲୁ । ମଞ୍ଜରୀ ଆଣି ପାନ ଓ ମସଲା ଦେଇଗଲା । ଏତେବେଳଯାଏ କଥା କହିବାର ଅବସର ନ ଥିଲା, ମୁଁ ଆଉ ସ୍ଥିର ହେଇ ପାରିଲି ନାହିଁ । ଅତି କୋମଳ ଗଳାରେ ଡାକିଲି–ମଳୟ !

 

କହିଲା–ମଳୟ ବୋଲି ନ ଡାକିଲେ ବୋଧେ ମୁଁ ଖୁସୀ ହେବି ।

 

ମାନେ ?

 

ମଳୟ ସରଗର ଚିଜ, ମୁଁ ନରକରେ ଘାଣ୍ଟି ହେଉଛି । ମୋ ଭଳି ପଶୁ, ପାଷଣ୍ଡ, ବର୍ବରକୁ ମଳୟ ବୋଲି ଡାକିଲେ ପାପ ହେବ ।

 

ଆଚ୍ଛା ହଉ, ସେ ବିଚାର ପରେ, କ’ଣ କହୁଥିଲୁ ସେ ପୋଲିସ୍‌ କଥା ?

 

କହିଲା–ପୋଲିସ୍‌ ମତେ ବାନ୍ଧି ନେଇଥିଲା । ଚାବୁକ୍‌ରେ ଖୁବ୍‌ ପିଟିଛି । ପିଟିପିଟି ରକ୍ତ ବାହାର କରି ଦେଇଛି ପିଠିରୁ । ପୁଣି ହୁଏତ ବାନ୍ଧି ନେଇ ଜେଲ୍‌ରେ ପୂରେଇବ ।

 

କହିଲି–ଏସବୁ ତୁ କ’ଣ କହୁଛୁ ?

 

ସବୁ ତ ଶୁଣିଥିବୁ । ଏ ଛାତି ଉପରେ ଯେତେ କଳାରାତି ବହିଯାଇଛି, ତା’ ଭିତରୁ ଗୋଟିକର ଘଟଣା ।

 

ଆଶ୍ଚର୍ଯ୍ୟ ହୋଇ କହିଲି–ନା, ମୁଁ କିଛି ଜାଣିନି ।

 

ଜାଣିନୁ ? କିଛି ତୋ’ କାନକୁ ଯାଇନି ? ତେବେ ଶୁଣ୍‌ ।...ସୋନପୁରରୁ ଫେରିଥାଏ । ସେଦିନ ରବିବାର । ସଞ୍ଜ ନଇଁ ଆସୁଛି । ଡ୍ରଇଁ ରୁମ୍‌ରେ ବସିବସି ଖଣ୍ଡେ ‘ଝଙ୍କାର’ ପଢ଼ୁଥାଏ । ମଞ୍ଜରୀ ଘର ଭିତରେ ରୋଷେଇବାସରେ ବ୍ୟସ୍ତ ।

 

ହଠାତ୍‌ କବାଟ ଧଡ଼ ଧଡ଼ ହେଲା । ଖୋଲି ଦେଲି–ମଦନ ! ମୁଁ ଶିହରି ଉଠିଲି । ସମ୍ବଲପୁରର ସେଇ ଆକ୍‌ସିଡ଼େଣ୍ଟ୍ ଠାରୁ ମୁଁ କେମିତି ନରମି ଯାଇଥିଲି । କୋଉ ହଜିଲା ଯୁଗର ଚେତା ଟିକିଏ ଟିକିଏ ଫେରି ଆସୁଥିଲା । ମଦ ପ୍ରତି ବାସ୍ତବିକ ଆସିଥିଲା ଘୃଣା । କହିଲି–ମଦନ ! ତୁ ଫେରିଯା’ । ମୋ ଦେହ ଭଲ ନାହିଁ । ମତେ ଆଉ ତୁ ଜଳେଇ ମା’ର ନା । ...ସେ ହସିଲା । କହିଲା–ନା, ମୁଁ କିଛି କହୁନାହିଁ । ଖାଲି ବସିଲେ କ’ଣ ଟିକିଏ ଦୋଷ ? ...ମୁଁ ନାହିଁ କରୁ କରୁ ସେ ଗୋଟିଏ ଚେୟାର ଟାଣି ଆଣି ବସିଲା ।

 

ଦଣ୍ଡେ ଗଲା । କହିଲା–ଭଲ କଲୁ ତୁ ଛାଡ଼ି ଦେଲୁ । ଆମେ ସବୁ ଏ ପଙ୍କରେ ଉବେଇ ଟୁବେଇ ହୋଇ ମରୁଛୁ–ଏତିକି କହି ଟ୍ରାଉଜର ପକେଟରୁ କାଢ଼ିଲା ଗୋଟାଏ ବୋତଲ ।

 

ମୁଁ ଚମକି ପଡ଼ିଲି । କହିଲି–ତତେ ନେହୁରା ହଉଛି ମଦନ । ଫେରିଯା’ । ଏଠି କାହିଁକି ଏ ସବୁ ?

 

ଡରିବାର କିଛି ନାହିଁ ମଳୟ । ତୁ ତୋ’ର ଆରାମ୍‌ ଚେୟାରରେ ଶୋଇ ଶୋଇ ଝୁଲ୍‌ । ମୁଁ ସବୁ ବନ୍ଦୋବସ୍ତ କରି ନଉଛି–ସେ ଉଠି ଯାଇଁ ସେଲ୍‌ରୁ ତିନିଟା କାଚ ଗ୍ଲାସ ଆଣିଲା ।

 

ମୁଁ ଆଉ ସମ୍ଭାଳି ହୋଇ ପାରିଲି ନାହିଁ । ଘରଭିତରକୁ ଉଠି ଯିବାକୁ ବସିଲି । ଟାଣି ଧରିଲା ସେ । କହିଲା–ବ, ବ, ଦି’ଜଣ ବନ୍ଧୁ ଆସିଛନ୍ତି ଗୋବିନ୍ଦପୁରରୁ । ଟିକିଏ ଦେଖା କରିଗଲେ କ’ଣ ପାପ ?

 

...ବନ୍ଧୁ ?

 

ଶଙ୍କର ଆଉ ବିଭୂତି ।

 

ମୁଁ ଅଟକି ଗଲି । ଶଙ୍କର ଆଉ ବିଭୂତି ଦୁହେଁ ମୋର ଘନିଷ୍ଠ ବନ୍ଧୁ । କିନ୍ତୁ ଦୁହେଁ ଏଇ ମଦନ ଶ୍ରେଣୀର । ବସନ୍ତକୁ ଡାକ୍ତରଖାନାରେ ଶୁଆଇ ଦେଇ ଆଉ ତାଙ୍କ ସହିତ ମିଶିବାକୁ ଇଚ୍ଛା ହେଲାନି । ତଥାପି କେଜାଣି କାହିଁକି ମୁଁ ଅଟକିଗଲି । କହିଲି କାହାନ୍ତି ସେମାନେ ?

 

ଏଇ ଆସୁଛନ୍ତି । ଦି’ଟା ସୋଢ଼ା ଆଣିବାକୁ ବଜାରକୁ ଗଲେ ।

 

ତା’କଥା ତା’ ମୁହଁରେ ଅଛି, ଦୁଆର ମୁହଁରେ ଦେଖାଦେଲେ ଦି’ଜଣ । ଉଠିଯାଇଁ କହିଲି–ଆରେ ଶଙ୍କର ଯେ’ । କି’ରେ ବିଭୂତି ! କେତେବେଳେ ଆସିଲୁ ?

 

ଏଇ ତ ଆସୁଛୁ । ତୋ’ର ସବୁ ଭଲ ?

 

ହଁଅ, ଚାଲିଛି...

 

ଆଉ ତୋ’ ବାବାଜୀ ହବା କେତେଦୂର ଗଲା ? –ଶଙ୍କର ପଚାରିଲା ।

 

ମଦନ କହିଲା–ହେଇ ଟେବଲ୍‌କୁ ଚାହଁ,–ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ।

 

...ମାନେ ?

 

ମାନେ ତିନିରୁ ଚାରି ହେଇ ପାରିଲା ନାହିଁ ।

 

ଏକାବେଳକେ ଚିତ୍କାର କରି ଉଠିଲେ ଦୁଇବନ୍ଧୁ–ନା, ନା, ତା ହେଇ ନ ପାରେ । ଅନ୍ତତଃ ଆଜି ଦିନଟା ମଳୟକୁ ଖାଇବାକୁ ହେବ । ଏଡ଼େ ଚମତ୍କାର ବିଲାତି ମାଲ୍‌ କୋଉଠି ସହଜେ ମିଳେ ?

 

ହାତଯୋଡ଼ି କହିଲି–ମତେ କ୍ଷମା କର ଭାଇ ! ମୁଁ ଶପଥ କରିଛି ଆଉ କେବେ ଛୁଇଁବି ନାହିଁ ।

 

ଅନ୍ତତଃ ବନ୍ଧୁର ମାନ ରକ୍ଷା ପାଇଁ ଆଜି ଦିନଟା ସେ ଶପଥ ଭାଙ୍ଗିବାକୁ ହେବ–ବିଭୂତି କହିଲା ।

 

ଶଙ୍କର କହିଲା–ନା, ଆମେ ବେଶୀ ଜୋର୍‌ କରନ୍ତୁ ନାହିଁ, କିନ୍ତୁ ଏ ଯେଡ଼େ ହାଇକ୍ଲାସ ଜିନିଷ, ଗୋଟାଏ ପେଗ୍‌ରେ ମେଜାଜ୍‌ ମସ୍‌ଗୁଲ୍‌ । ଏ ଜିନିଷ ତୋତେ ନ ଦେଇ ଆମେ ଖାଇବାଟା ହିଁ ଅନ୍ୟାୟ ।

 

ନା’ରେ ମତେ ମାଫ୍‌କର । ଆଉ ସେ ଇନ୍ଦ୍ରଭୁବନକୁ ଯିବାକୁ ମୋର ଇଚ୍ଛା ନୁହେଁ ।

 

ଇଚ୍ଛା ନୁହେଁ, ଯେହେତୁ ତୁ ସେ ଇନ୍ଦ୍ରଭୁବନ ଦେଖିନଉଁ । ଥରେ ଚାଲ୍‌ । ଯଦି ଭଲ ନ ଲାଗିବ ଫେରିଆସିବୁ ।

 

କିନ୍ତୁ ମୁଁ ତ ଅନେକ ଜିନିଷ ଖାଇଛି–ବ୍ରାଣ୍ଡି, ହୁଇସ୍କି, ରମ୍‌...

 

ଛି,ଛି,ଛି, ୟା’ ତୁଳନାରେ ସେଗୁଡ଼ା ଏକ୍‌ଦମ୍‌ କାଉଣ୍ଟରଫିଟ୍‌ । ନାଇନ୍‌ଣ୍ଟିଥ୍‌ ସେନ୍‌ଚୁରି ମାଲ୍‌ । ତୁ କ’ଣ କେବେ ‘ହ୍ୱାଇଟ୍‌ ହର୍ସ’ ଖାଇଛୁ ?

 

...ହ୍ୱାଇଟ୍‌ ହର୍ସ ??

 

ଥରେ ଖାଇଲେ ଏ ସାରା ବିଶ୍ୱବ୍ରହ୍ମାଣ୍ଡ ଛାଡ଼ି ହାଲୁକା ଚଢ଼େଇଟି ଭଳି ଫୁର୍‌କିନା ଉଡ଼ି ଯିବାକୁ ଇଚ୍ଛା ହେବ ଆକାଶକୁ ।

 

ହଁ, ଚନ୍ଦ୍ରଭୂଷଣ ଠାରୁ ସେହିଭଳି ଶୁଣିଛି–

 

ଖାଲି ଶୁଣାକଥା ନୁହେଁ, ଆମେ ଅଙ୍ଗେ ନିଭେଇଛୁ । ତୁ ଖାଲି ଗୋଟିଏ ପେଗ୍‌ ଖା’ । ଦେଖିବୁ ତୁ ଆଉ ଏଠି ନାହୁଁ । ଛାୟାପଥରେ ଯାଇଁ ତାରାମାନଙ୍କ ସହିତ ଖେଳୁଛୁ–ଭାସିଭାସି ଯାଉଛୁ କାହିଁ କୋଉ ଅଜଣା ଅଶୁଣା ରାଇଜକୁ ।

 

କିନ୍ତୁ ଯଦି ମଞ୍ଜରୀ ଜାଣେ...

 

ନା, ମୋଟେ ଜାଣିବ ନାହିଁ । ସେ ବ୍ୟବସ୍ଥା ଆମେ କରିଦେବୁ ।...ମଦନ ଉଠିଯାଇଁ ଦୁଇପଟ କବାଟ ବନ୍ଦ କରିଦେଲା । ତା’ପରେ ?...ତା’ପରେ ଚାଲିଲା ବୀଭତ୍ସ ଲୀଳା । ଗୋଟିଏ କାହିଁକି, ଯୋଡ଼ିଏ, ତିନୋଟି, ଚାରୋଟି ପର୍ଯ୍ୟନ୍ତ ପେଗ୍‌ ଉଠିଗଲା । ଅଧଘଣ୍ଟାକ ପରେ ସତକୁସତ ସମସ୍ତେ ହେଇଉଠିଲେ ମସ୍‌ଗୁଲ୍‌ । ମଦନ ଗୁଣୁଗୁଣୁ ହେଇ ଗୀତ ଗାଇବାକୁ ଲାଗିଲା । ବିଭୂତି ସାମାନ୍ୟ କଥାରେ ହୋ ହୋ’ ହସି ଘର ଫଟାଇଦେଲା । ଶଙ୍କର ଆରମ୍ଭ କଲା ଖାଲି ହିନ୍ଦୀ । କହିଲା–ବୋଲୋ ଦୋସ୍ତ୍ ମଳୟ ! ଏସା ସରାପ୍‌ କଭି ପିଆ ?....

 

ମୋର ଚେତା ହଜିହଜି ଆସୁଥିଲା । କ’ଣ କହିବି କହିବି ହେଲି । କ’ଣ ବି କହିଲି । କିନ୍ତୁ ଆଗପଛ କଥାରେ କିଛି ସାମଞ୍ଜସ୍ୟ ରହିଲା ନାହିଁ । ପଦେ କହି ଆର ପଦ କହିଲାବେଳକୁ ପହିଲି ପଦଟି ଭୁଲିଗଲି । ଫଳରେ ହେଲା ଅସଂଖ୍ୟ ଭୁଲ୍‌ । ସମସ୍ତେ ଠୋ ଠୋ ହସିଲେ । ମୁଁ ବି ସେଇ ହସ ଭିତରେ ନିଜକୁ ହଜେଇ ଦେଲି ।

 

କିଏ ଜଣେ କହିଲା–ଏସା ସରାପ୍‌କୋ ଗୋସ୍‌ ଚାହି ।

 

ମୁଁ କହିଲି–କେତ୍‌ନା ଗୋସ୍‌ ଲାଏଗା ଦୋସ୍ତ୍‌ । ଏକ୍‌ଠୋ ବକ୍‌ରି ଲେଆଓନା...

 

ମଦନ କହିଲା–ଖାଲି ବକ୍‌ରି ? ବକ୍‌ରି ସାଥ୍‌କୋ ଛୋକ୍‌ରି ଜରୁରତ୍‌ ନେଇଁ ??

 

ଛୋକ୍‌ରି ?...ଛୋକ୍‌ରି ??...ସମସ୍ତେ ଏକାବେଳକେ ହୋ ହୋ ହେଇ ହସି ଉଠିଲେ । କହିଲେ–ହାଁ ହାଁ, ଛୋକ୍‌ରି ମାଙ୍ଗ୍‌ତା, ଛୋକ୍‌ରି ମାଙ୍ଗ୍‌ତା...

 

ବିଭୂତି କହିଲା–ଯା’ବେ ମଦନ୍‌ ଦେଖ୍‌ । ଦେବଗଡ଼ରେ ଗୋଟାଏ ଛୋକ୍‌ରି ମିଳିବ ନାହିଁ-?

 

ଶଙ୍କର ବଢ଼େଇ ଦେଲା ଦଶଟା ଟଙ୍କା–ଯାଓ ଦୋସ୍ତ୍‌ । ଯେସା ହୋନେସେଭି ଏକ୍‌ଠୋ ଲେକର୍‌ ଆନା ।

 

ମଦନ କବାଟ ଖୋଲି ଚାଲିଗଲା...

 

ସେତେବେଳକୁ ଘର ଭିତରେ କି ପ୍ରଳୟ ହେଲାଣି ଜାଣେନି । ଖାଲି ଗୋଟାଏ କାନ୍ଦଣାର କରୁଣ ସ୍ୱର ଭାସି ଆସୁଛି । ମୁଁ ବି ଠିକ୍‌ ବୁଝି ପାରିଲି ନାହିଁ ଏ ସ୍ୱର କେଉଁଠୁ ଆସୁଛି । ସତେସତେ ମୁଁ ଛାୟାପଥରେ ତାରାରେ ତାରାରେ ଘୂରି ବୁଲୁଥିଲି ।

 

ପନ୍ଦର ମିନିଟ୍‌ ପରେ–ମଦନ ଫେରିଆସିଲା ।

 

ସମସ୍ତେ ଚିତ୍କାର କରି ଉଠିଲେ–କାହିଁ ? କାହିଁ ? କାହିଁ ?

 

କିନ୍ତୁ ଛୋକ୍‌ରୀ ନାହିଁ । ମଦନ ମୁହଁରେ ହତାଶାର ବିକଳ ଚିହ୍ନ । ବିଭୂତି କହିଲା–କ’ଣ ହେଲାବେ, ଟୋକଳିଟାଏ ଆଣି ପାରିଲୁ ନାହିଁ । ...ଶଙ୍କର ଗର୍ଜିଉଠିଲା–ଶଳା ମାଇଚିଆ । ଶଳା ଭିତେ ଶାଗ ଶିଝିବ ନାହିଁ ।

 

ମଦନ ଟିକିଏ ଶଙ୍କିଯାଇଁ କହିଲା–ନା, କେହି ନାହାଁନ୍ତି । ସମସ୍ତେ ଥିଏଟର୍‌ରେ ବ୍ୟସ୍ତ । ବିନିର ମା’କୁ ଯେତେ କରି କହିଲି, ଗୋଟାଏ କାଣୀକୁଜୀ ବି ଯୋଗାଡ଼ କରି ପାରିଲା ନାହିଁ । ଶେଷରେ ନିରାଶ ହେଇ ଫେରୁଛି । ସେ ହସିଲା । ଭାରୀ ଜୋରେ ହସିଲା । ହସିହସି କହିଲା–ଏତେ ଦୂରକୁ କାହିଁକି ବାବୁ । ତମ ପାଖରେ ତ ଅଛି ।

 

ପାଖରେ ?? ...ଶଙ୍କର, ବିଭୂତି ଏକସଙ୍ଗରେ ଚିତ୍କାର କରି ଉଠିଲେ ।

 

ମଦନ ବି ହସିଲା । କହିଲା–ହଁ, ପାଖରେ ଯେ, କିନ୍ତୁ...କିନ୍ତୁ...

 

ଶଙ୍କର ଚିଡ଼ି ଉଠିଲା–କ’ଣ ବେ କିନ୍ତୁ ?

 

କିନ୍ତୁ...କିନ୍ତୁ ମଳୟ...

 

କହିଲି–ନା, ମୋର ଆପତ୍ତି ନାହିଁ । ମୋଟେ ଆପତ୍ତି ନାହିଁ । ବରଂ ମୋର ଦରକାର ଆଗ । ମୁଁ ଆଉ ମୋଟେ ରହିପାରୁନାହିଁ ।

 

ତଥାପି...ତଥାପି ମଳୟ...

 

କହିଲି–ରଖିବେ ତୋ’ ତଥାପି, ଆଣ୍‌ ଯା’ ଆଗ ତା’କୁ କହ–କହ ସେ କିଏ ?

 

ମ–ଞ୍ଜ–ରୀ !!!

 

ମ–ଞ୍ଜ–ରୀ ??? ...ଗଛ କାଟିଲା ଭଳି ମୁଁ କଚାଡ଼ି ହେଇ ପଡ଼ିଲି । ସବୁ ନିଶା ଯେମିତି ଏକାବେଳକେ କିଏ ଛଡ଼େଇ ଦେଲା ଗୋଟାଏ ବ୍ରହ୍ମଚାପୁଡ଼ା ମାରି । କହିଲି–ଏ କଥା ତୁ କହିପାରିଲୁ ମଦନ ? କହି ପାରିଲୁ ତୁ ଏତେବଡ଼ କଥା ମୁହଁରେ ??

 

ବିଭୂତି ଟିକିଏ ଦବିଗଲା । ଶଙ୍କର କହିଲା–ଆପତ୍ତି କ’ଣରେ ମଳୟ ? ତୁ ଏକା ଖାଉଥିଲୁ । ନହେଲା ଆଉ ପାଁଜଣ ଟିକିଏ ଭାଗ ନେବେ । ଦେହ କ’ଣ ଛିଡ଼ି ଯାଉଛି ?

 

ଓଃ, ମୋ ମୁଣ୍ଡ ଝାଇଁଝାଇଁ ବୁଲେଇ ଦେଲା । ବିଶ୍ୱବ୍ରହ୍ମାଣ୍ଡ ଅନ୍ଧାର ଦିଶିଲା ମତେ । କହିଲି–ବଦ୍‌ମାସ୍‌, ପାଜି, ସଇତାନ୍‌ । ମୁଁ ବଞ୍ଚି ଥାଉଁ ଥାଉଁ...

 

ଶଙ୍କର କହିଲା–କିଛି ନାଇଁ, ତୁ ବି ଖାଇବୁ । ଯା’ ମଦନ ! କବାଟ ଫିଟେଇ ଟାଣିଆଣ...

 

ମଦନ ପଶି ଯାଉଥିଲା, ଟେବଲ୍‌ ଉପରୁ ରୋଲ୍‌ ବାଡ଼ିଟା ଉଠେଇ ଆଣି ଠାଇକିନା ଲଗେଇ ଦେଲି ମୁଣ୍ଡରେ । ମୁଣ୍ଡ ଫାଟି ରକ୍ତ ଗଳ ଗଳ ହେଇ ଗଳି ପଡ଼ିଲା । ଶଙ୍କର, ବିଭୂତି ବାଘ ଭଳିଆ ଦଉଡ଼ି ଆସି ମତେ ମାଡ଼ି ବସିଲେ । ଶଙ୍କର କହିଲା–ସେମିତି ନାହିଁ, ତା’କୁ ଗୋଟି ପଣେ ବାନ୍ଧି ପକା । ତା’ରି ଆଗରେ ତା’ ସ୍ତ୍ରୀର ଇଜ୍ଜତ ନିଆଯାଉ......

 

ବାହାରୁ ଗୋଟାଏ ଘଡ଼ଘଡ଼ି ମାରିଲାଭଳି ଗର୍ଜନ ଶୁଭିଲା––‘ସ୍ତ୍ରୀ’ର ଇଜ୍ଜତ ନେବା ଆଗରୁ ପୁରୁଷର ଇଜ୍ଜତ କେତେ ମୁଁ ଦେଖିବାକୁ ଚାହେଁ’–ଦାଣ୍ଡ କବାଟ ଧଡ଼୍‌ ଧାଡ଼୍‌ ହେଇ ଫିଟିଗଲା-। ସିଂହିନୀ ଭଳି ଘର ଭିତରକୁ ଡେଇଁ ପଡ଼ିଲା ଗୋଟିଏ ନାରୀ । ହାତରେ ପା’ଇଁ ପା’ଇଁ ଚାବୁକ୍‌-। ବାଳ ମୁକୁଳା । ମନ୍ଦାର ଫୁଲ ଭଳି ଶାଢ଼ିର ରଙ୍ଗ । ...ମୁଁ ଡରିଗଲି । ସତ କହୁଛିରେ ଅଶୋକ-। ମୋର ପଞ୍ଚଭୂତ ଆତ୍ମା ଥରିବାକୁ ଲାଗିଲା ।

 

ଶଙ୍କର ଆଉ ବିଭୂତି ମତେ ଛାଡ଼ି ଦେଲେ । ତା’କୁ ଲକ୍ଷ୍ୟ କରି କହିଲେ–ତମେ କିଏ ?

 

‘ତମେ ଯୋଉ ନାରୀର ଇଜ୍ଜତ ନେବାକୁ ଚାହିଁଥିଲ, ମୁଁ ସେଇ ନାରୀ । ଆସ ସାହସ ଅଛି ତ ମୋର ସମ୍ମୁଖୀନ ହୁଅ’–ତା’ ଆଖିରୁ ଯେମିତି ସହସ୍ର ସୂର୍ଯ୍ୟର ରଶ୍ମି ଫୁଟି ଉଠୁଥିଲା । ବୀର ଭଳି ଛାତି ଫୁଲେଇ ଗର୍ଜି ଉଠି ସେ କହିଲା ।

 

ବିଭୂତିର ସବୁ ସାହସ କୁଆଡ଼େ ପାଣି ହେଇ ଯାଇଥିଲା । ଖାଲି ଶଙ୍କର କହିଲା–ଗୋଟାଏ ନାରୀ ମୁହଁରେ ଏ ଔଦ୍ଧତ୍ୟ ଶୋଭା ପାଏ ନାହିଁ ।

 

‘ତମକୁ ଚାବୁକ୍‌ରେ ପିଟି ନାଇଁ, ଏଇ ତମର ସୌଭାଗ୍ୟ । ମଞ୍ଜରୀ ସ୍ଥାନରେ ମୁଁ ଥିଲେ ତମ ଛାତି ଉପରକୁ କୁଦି ପଡ଼ି ଆଜି ଏଇଠି ରକ୍ତ ପିଇଥାନ୍ତି ।’ –ଅଗ୍ନି ବୁଣି ବୁଣି ଉତ୍ତର ଦେଲା ସେ ଦଶଭୁଜା ଦୁର୍ଗା ।

 

ଶଙ୍କର ତା’କୁ ଧରି ପକେଇବାକୁ ଯାଉଥିଲା, ଗର୍ଜି ଉଠି ସେ କହିଲା–ଏତେଦୂର ସ୍ପର୍ଦ୍ଧା...ପାଆଁଇକିନା ପିଟି ଦେଲା ପାହାରେ ଚାବୁକ୍‌ରେ । ସେତେବେଳକୁ ବହୁଲୋକ ଆସି ଜମାହେଇ ପଡ଼ିଥାନ୍ତି । ହୋ ହୋ ରେ ଘର କମ୍ପୁଥାଏ । ଶଙ୍କର ଆଉ ପାଦେ ଆଗେଇ ଆସିବା ଆଗରୁ ଧଡ଼୍‌ ଧାଡ଼୍‌ ଆସି ପହଞ୍ଚିଗଲେ ପୋଲିସ୍‌ !! ନାରୀ ମୂର୍ତ୍ତି ଥରି ଥରି କହିଲା–ହଁ, ମୁଁ ଫୋନ୍‌ କରିଥିଲି । ଏ ସମସ୍ତଙ୍କୁ ଆରେଷ୍ଟ୍‌ କରନ୍ତୁ । କିନ୍ତୁ ବେଶୀ ଦୋଷୀ ମଳୟ ଭାଇ । ସେଇ ଖୁନ୍‌ ବୁହାଇଛନ୍ତି ମଦନର ।

 

ମୁଁ ଚମକି ପଡ଼ିଲି । ମୋ ପାଇଁ ମୁଁ ମୋଟେ ଭାବୁ ନ ଥିଲି । ଭାବୁଥିଲି ଖାଲି ମଞ୍ଜରୀ କଥା । କହିଲି–ଯାହାକୁ ବଞ୍ଚେଇବାକୁ ଆସିଲୁ, ଶେଷରେ ତା’କୁଇଁ ଯେ ମାରିଦେଲୁ ଭଉଣୀ । ମୁଁ ଗଲେ ମଞ୍ଜରୀ ଆଉ ବଞ୍ଚିବ ତ ?

 

‘ମଞ୍ଜରୀ କଥା ବୁଝିବାକୁ ତମେ ଅଯୋଗ୍ୟ । ତମେ ଗଲେ ନୁହେଁ, ତମେ ମଲେଇଁ ସିଏ ବଞ୍ଚିବ । ତମେ ଥିଲେ ସେ ଠକ୍‌ ଠକ୍‌ ମରିଯିବ ।’

 

କିଏ ଜଣେ କବାଟ ଫିଟେଇ ଦେଲା । ମଞ୍ଜରୀ ଭୋ ଭୋ କାନ୍ଦି ଆସି କଚାଡ଼ି ହେଇ ପଡ଼ିଲା । ସିଂହିନୀ ମୁହଁରୁ ସେମିତି ଅନର୍ଗଳ ଛୁଟିଥାଏ ସ୍ରୋତ–‘ହଁ, ହଁ ତମେ ଅଯୋଗ୍ୟ...ତମେ ଅଯୋଗ୍ୟ...ତମେ ଯାଅ । ମଞ୍ଜରୀ କଥା ବୁଝିବି ମୁଁ । ବୁଝିବ ମେ-ଘ-ମା-ଳା ।

 

‘‘ମେ–ଘ–ମା–ଳା ???’’

 

ହଁ, ମେଘମାଳା । ତା’ ନ ହେଲେ କାହା ବୁକୁରେ ହବ ଏଇ ଭୀମର ସାହସ ? କାହା କଣ୍ଠରୁ ଶୁଭିବ ଏଇ ବଜ୍ରର ଗର୍ଜନ ?

 

ପୋଲିସ୍‌ ଗୋଟି ଗୋଟି କରି ସମସ୍ତଙ୍କୁ ଆରେଷ୍ଟ୍ କରି ନେଲା । କିନ୍ତୁ ଆଶ୍ଚର୍ଯ୍ୟ...ଆଶ୍ଚର୍ଯ୍ୟରେ ଅଶୋକ । ଯୋଉ ନୟନରୁ ବହ୍ନି ଝରୁଥିଲା, ଠିକ୍‌ ମତେ ବାନ୍ଧିଲାବେଳେ ସେହି ନୟନରୁ ଧାର ଧାର ହୋଇ ଝରି ଆସିଲା ଅଶ୍ରୁ । ସେ କାନ୍ଦୁଥାଏ ଆଉ ସେମିତି କହି ଚାଲିଥାଏ–ହଁ ତମେ ଯାଅ । ତମେ ଅଯୋଗ୍ୟ । ତମେ ଅପଦାର୍ଥ–କୁଳାଙ୍ଗାର......

 

ପୋଲିସ୍‌ ସମସ୍ତଙ୍କୁ ବାନ୍ଧି ନେଇଗଲା ।

 

.............

 

ମଳୟ ହଲେଇ ଦେଲା–କି’ରେ ଅଶୋକ । ଶୋଇ ପଡ଼ିଲୁ କି ?

 

ନା, ଶୋଇ ତ ନାହିଁ, ଆଠ ଦିନ ଯାଏ ଶୋଇ ପାରିବି କି ନାହିଁ ସନ୍ଦେହ । ତୁ କ’ଣ ସତେ ଫେରି ଆସିଛୁ ?

 

ବେଲ୍‌ରେ ଆସିଲାବେଳେ ସେଇଆ ଭାବୁଥିଲି–ଯଦି ଫେରି ନ ପାରେ, ତେବେ ମଞ୍ଜରୀ ପାଖକୁ ଆଉ ଫେରିଯିବି କାହିଁକି ? ତା’ ଅପେକ୍ଷା ବରଂ ବିଷ ଖାଇ ଏ କଳଙ୍କ ମୁଖ ଚିରଦିନ ଲୁଚାଇ ଦେବା ଉଚିତ । କିନ୍ତୁ...

 

କିନ୍ତୁ ମଞ୍ଜରୀ ମତେ ସେ ବିଶ୍ୱାସ ଦେଇଛି । ତା’ର ଶ୍ରାବଣ ଝରକୁ ଚାହିଁ ଚାହିଁ ମୁଁ ଫେରିଛି ଏବଂ ମୋର ଦୃଢ଼ ବିଶ୍ୱାସ ମୁଁ ବୋଧେ ଫେରି ଆସିଛି ଚିରଦିନ ପାଇଁ ।

 

ସ୍ୱସ୍ତିରେ ନିଶ୍ୱାସ ମାରିଲି–ଭଗବାନ ତୋତେ ସାହା ହୁଅନ୍ତୁ । ତୁ ଫେରିଆ ।

 

–ଛଅ–

 

ମଞ୍ଜରୀକି ଯେତେ ଯାହା ପଚାରିଲି ସେ କିଛି ଉତ୍ତର ଦେଲାନି । ଖାଲି କାନ୍ଦିଲା । ବୁଝିଲି ସ୍ୱାମୀର ଦୁର୍ଦ୍ଦଶାରେ ବିଚାରୀର ମୁହଁ ଏକାବେଳକେ ଜଳି ଯାଇଛି । ଆଉ ବେଶୀ ପ୍ରଶ୍ନ କରି ସେ ଜଳନ୍ତା ନିଆଁରେ କୁଟା ପକେଇବା ଉଚିତ ମନେ କଲିନି । ଫେରି ଆସିଲି ।

 

ଡି.ଏଫ୍‌.ଓ. ଟୁର୍‌ରେ ଯାଇଥାନ୍ତି । ସୁତରାଂ ମୋ କାମ କିଛି ହେଲାନି । ପିଅନ ହାତରେ କାଗଜପତ୍ର ହୋଟେଲ୍‌କୁ ପଠାଇ ଦେଇ ମୁଁ ଚାଲିଲି ଲାଇବ୍ରେରୀକୁ ।

 

ଲାଇବ୍ରେରୀରେ ବସି ବସି ଖବରକାଗଜ ପଢ଼ୁଛି, ଗୋଟିଏ ସାନ ପିଲା ଖଣ୍ଡିଏ ଚିଠି ଆଣି ଦେଲା । ପିଲାଟିକି ଦୋ ଦୋ ଚିହ୍ନା ହେଲି । କହିଲି–ତମେ କାହା ପୁଅ ବାବୁ ?

 

....ରାମନାରାୟଣ ହୋତାଙ୍କର–

 

ଛାତିରୁ କ’ଣ ଗୋଟାଏ ଦପ୍‌କିନା ଖସି ପଡ଼ିଲା । ଗୋଟାଏ ଦୀର୍ଘ ଶତାବ୍ଦୀ ହେଲା ମୁଁ ତା’ ଘରକୁ ଯାଇନି । ଯାଇନି କେବଳ ମୁଁ ତାକୁ ଭଲ ପାଏ ବୋଲି । ସେ ବୋଧେ ମୋ ମନକଥା ବୁଝି ପାରିଥିଲା । ତେଣୁ ଚିଠି ଖଣ୍ଡିଏ ପର୍ଯ୍ୟନ୍ତ ଦେଉ ନ ଥିଲା । କିନ୍ତୁ ଆଜି ଏମିତି ଖୋଲାଖୋଲି ଭାବରେ ଏତେ ଲୋକଙ୍କ ଆଗରେ କାହିଁକି ଏ ଚିଠି ? ଲକ୍ଷ୍ୟ କଲି ଏଇ ଭିତରେ ବି କେତେ ଲୋକଙ୍କର ଭ୍ରୂକୁଞ୍ଚିତ ହେଇ ଆସିଲାଣି । ଓଠରେ ମୁରୁକି ମୁରୁକି ହସ । ଦୁଃଖ ହେଲା ଯେତିକି ନିଜ ଉପରେ ରାଗ ବି ହେଲା ସେତିକି । ମୋର ଆଗରୁ ଯିବା ଉଚିତ ଥିଲା । ଏ ଦୀର୍ଘ ଦିନ ହେଲା ନ ଯାଇଁ ମୁଁ ହୁଏତ ତା’ କୋମଳ ପ୍ରାଣରେ ଗୁରୁ ଆଘାତ ଦେଇଛି । କହିଲି–ହଉ, ତମେ ଯା’ ବାବୁ । ...ସେ ନମସ୍କାର କରି ଚାଲିଗଲା ।

 

ରାତି ପ୍ରାୟ ନ’ଟା । ମୁଁ ଦୁଆର ମୁହଁରେ ଡାକିଲି–ମାଳା ! ମାଳା !!

 

କବାଟ ଖୋଲିଲା । ମାଳା ଦୁଇହାତ ତୋଳି ପ୍ରଣାମ କଲା । ମୁହଁଟି ଝାଉଁଳି ପଡ଼ିଛି । ଆଖି ଦୁଇଟି ଢଳଢ଼ଳ ।

 

କହିଲି–ଭଲ ଅଛ ?

 

ଉତ୍ତର ନାହିଁ । ଗୋଟିଏ କଡ଼କୁ ଆଉଜି ସେ ଠିଆ ହେଲା । ନୀରବରେ କେତୋଟି ଦଣ୍ଡ ଗଲା । ଦୁଇଟି ବାରିଧାରା ତା’ ଗଣ୍ଡ ପ୍ଲାବନ କରି ବହି ଆସିଲା ।

 

ମୁଁ ଆଉ ଧୈର୍ଯ୍ୟ ଧରି ପାରିଲି ନାହିଁ । ଉଦ୍‌ବେଳିତ ହେଇ ପଚାରିଲି–ରାଗିଛ ?

 

ତଥାପି ନିରୁତ୍ତର ।

 

ଦୁଇ ବାହୁ ଧରି ଜୋର୍‌ରେ ହଲାଇ ଦେଲି–କୁହ, କୁହ ମାଳା । ରାଗିଛ ମୋ ଉପରେ ?

 

ଗୋଲାପ ଓଠ ଦୁଇଟି ଈଷତ୍‌ କମ୍ପି ଉଠିଲା । କହିଲା–ସେ ଅଧିକାର ମୋର କାହିଁ ?

 

ଛି, ସେପରି କୁହ ନାହିଁ । ତମର ସବୁ ଅଧିକାର ଅଛି । ତମକୁ ଦେଖିଲାଦିନୁ ମୋର ସର୍ବସ୍ୱ ତମର ଚରଣତଳେ ଅଜାଡ଼ି ଦେଇଛି ।

 

ସେଇଥିପାଇଁ ଦୀର୍ଘ ଛ’ମାସ ହେଲା ଟିକିଏ ଦର୍ଶନଇ ମିଳୁନାହିଁ । ତମେ ତ ଜାଣ ମୁଁ କାହିଁକି ଆସୁନି–

 

ମୁଁ ସବୁ ଜାଣେ । ମୁଁ ଜାଣେ, ମୁଁ ମଲେ ତମେ ଆସିବ ଲୁହ ଗଡ଼େଇବା ପାଇଁ । ମୁଁ ବଞ୍ଚିଥିଲା ଯାଏ ଆସିବ ନାଇଁ । ମୁଁ ତମର କେହି ନୁହେଁ–କେହି ନୁହେଁ । .....ସେ କାନ୍ଦି କାନ୍ଦି ଭିତରକୁ ଚାଲିଗଲା । ମୁଁ ପଥରର ପ୍ରତିମା ଭଳି ଖାଲି ଠିଆ ହୋଇଥିଲି ।... କେତେ ସମୟ କଟିଛି ଜାଣେନି, ସେହି ପିଲାଟି ଆସି ହଲେଇ ଦେଲା । କହିଲା–ନାନୀ ଡାକୁଛି, ଭିତରକୁ ଆସନ୍ତୁ ।

 

ଅନ୍ୟମନସ୍କ ଭାବେ ପାଦ ବଢ଼େଇଲି ଆଗକୁ । ମେଘମାଳା ଯେ ଏତେ ଦୁର୍ବଳ ହେଇପାରେ ମୋର ଧାରଣା ନ ଥିଲା ।

 

ମା’ ଶୋଇଥିଲେ । ଡାକିଲେ–ଆ’ ପୁଅ ! ଏଇଠି ବ’...

 

ପିଲାଟି କହିଲା–ମା’କୁ ଆଠଦିନ ହେଲା ଜର । ବିଛଣାରୁ ଉଠୁ ନାହିଁ ।

 

ପଚାରିଲି–ବାପା କାହାନ୍ତି ?

 

କହିଲା–‘ନଈକୂଳ’ ଯାଇଛନ୍ତି ଧାନ ଆଦାୟ କରି ।

 

ମେଘମାଳା କୋଉଠି ଅଦୃଶ୍ୟ ହେଇଗଲା ଖୋଜି ପାଇଲି ନାହିଁ । ନୀରବରେ ଯାଇଁ ମା’ଙ୍କ ପାଖରେ ବସିଲି । କିଛି ସମୟ ଗଲା । ମା’ ଧିରେ ଧିରେ କହିଲେ–ଏଇଟା କ’ଣ ଭଲ ହେଲା ପୁଅ ? ତୁ ତ ସବୁ ଶୁଣିଥିବୁ ।

 

ବୁଝିଲି, ବୁଢ଼ୀ ବୋଧେ ସେଦିନର ପୋଲିସ୍‌ ଘଟଣାକୁ ଲକ୍ଷ୍ୟ କରୁଛନ୍ତି । କହିଲି–କାହା କଥା କହୁଛ ମା’ ? ମଳୟ କଥା ?

 

ହଁ, ପରକଥାରେ ଆମର କ’ଣ ଅଛି ? ଯିଏ ଯାହା କରିବ, ସିଏ ତା’ ଫଳ ପାଇବ । ଆମେ କିଆଁ ଏତେ ଭଲେଇ ହବାକୁ ଯିବା ?

 

କହିଲି–ହଁ ଯେ, ହେଲେ ପରର ଘରପୋଡ଼ି ଗଲା ବେଳେ ଆମେ ଯାଇଁ ପାଣି ପକେଇବା ତ ଉଚିତ । ତା ନ ହେଲେ ସେଇ ନିଆଁ ଯେ ଆମ ଘରକୁ ନ ଡେଇଁବ, ତା କିଏ କହିବ-?

 

କିନ୍ତୁ ମଳୟ ଭଳିଆ ମଦୁଆ, ଛତରା, ଗୁଣ୍ଡା...

 

ବାଘ ବାଣୁଆକୁ ଡରେ ମା’ । ବାଣୁଆ ବାଘକୁ ଡରିବ କାହିଁକି ? ମେଘମାଳା ତ ଝୁଅ ନୁହେଁ ଖଣ୍ଡେ ଶାଣଦିଆ ଚକ୍‌ଚକ୍‌ ଛୁରି ।

 

ତମେ ସବୁ ଯାହା କୁହ ପୁଅ, ମତେ କାହିଁକି ଭାରୀ ଡର ମାଡ଼ୁଛି । ସେହିଦିନୁ ଡାହାଣ ଆଖିଟା ଦିନରାତି ଡେଉଁଛି । ମନେ ହେଉଛି ଯେମିତି ଚାରିଆଡୁ ଅନ୍ଧାର ମାଡ଼ି ଆସୁଛି, ଆଉ ସେଇ ଅନ୍ଧାର ଭିତରେ ହଜିଯାଉଛି ମୋର ସର୍ବସ୍ୱ–ମୋର ଅନ୍ଧର ଲଉଡ଼ି, ନୟନର ମଣି ମାଳ...

 

ବୁଢ଼ୀ ଆଖିରୁ ଲୁହ ଗଡ଼ି ଆସିଲା । ବୁଝିଲି ଏ ଖାଲି ଦୁର୍ବଳତା । ଅତ୍ୟଧିକ ସ୍ନେହ ହେତୁ ମନରେ ନାନା ଦୁଃସ୍ୱପ୍ନର ଛାଇ । କହିଲି–ବୃଥା ଚିନ୍ତା କାହିଁକି ମା’ ? ମାଳା ଅବିବାହିତା ନୁହେଁ । ଆଉ କେଇଦିନେ ସେ ତା’ ଘର କରିବ ।

 

ହେଲେ ପର ଜିନିଷ ପର ହାତରେ ସମର୍ପି ନ ଦେଲା ଯାଏ ନିଶ୍ଚିନ୍ତରେ ମରି ପାରୁଛି କୋଉଠି?

 

କାହିଁକି ମା’ ଆଜି ଚାହିଁଲେ ଆଜି ପଠେଇ ଦବ । ବାଧା କ’ଣ ?

 

ନା’ରେ ବାପ, ମନ୍ଦ କପାଳ ତା’ର, ସେ ଗରିବ ଘରେ ଜନ୍ମ । ବାହାଘର ବେଳେ ଘଡ଼ି, ସାଇକେଲ ଦେବାର କଥା ହୋଇଥିଲା । ଆଜି ଯାଏ ଦିଆ ହେଇ ପାରିନି । ତା’ ଶ୍ୱଶୁର କହନ୍ତି, ଯୋଉଦିନ ଘଡ଼ି, ସାଇକେଲ ଦେବ ସେଇଦିନ ଝିଅକୁ ପଠେଇବ, ତା’ ଆଗରୁ ନୁହେଁ ।

 

ଏଁ ! –ମୁଁ ଅବାକ୍‌ ହେଇ ଚାହିଁ ରହିଲି । କହିଲି–କେତେ ବର୍ଷ ହେଲା ବାହାଘର ହେଲାଣି-?

 

ଏଇ ମାର୍ଗଶୀରକୁ ଚାରି ପୂରି ପାଞ୍ଚ ପଶିଲା । ଅଥଚ ଏଣେ କଡ଼ା ଆଦେଶ–ଝିଅ ପଢ଼ିବାକୁ ଯାଇ ପାରିବ ନାଇଁ । ବଢ଼ିଲା ଝିଅ କ’ଣ ବାହାରକୁ ବାହାରନ୍ତି ?

 

‘‘ନା, ବାହାରନ୍ତି ନାହିଁ । ଯିଏ କହନ୍ତି ସିଏ ସାଧୁ, ସନ୍ଥ । ଆଉ ଯିଏ ବାହାରନ୍ତି, ସିଏ ଦୁଶ୍ଚରିତ୍ରା, ବେଶ୍ୟା !!!’’

 

‘ବେ...ଶ୍ୟା ??’ –ମୁଁ ଚାଉଁକିନା ଚମକି ପଡ଼ିଲି । ଫେରି ଚାହିଁଲି–ମେଘମାଳା । ନୟନରୁ ଅଗ୍ନି ଝରୁଛି । କଣ୍ଠରେ ବିଦ୍ରୋହର ଝଙ୍କାର ।

 

ପଚାରିଲି–ଏ କ’ଣ କହୁଛ ମାଳା ?

 

ଯାହା ଆପଣମାନେ କହୁଛନ୍ତି ଦାଣ୍ଡରେ, ଘାଟରେ, ବଜାରରେ, ହୋଟେଲ୍‌ରେ, କ୍ଲବରେ-

 

ଆପଣମାନେ ??

 

ହଁ, ଆପଣଙ୍କ ଭଳି ଶିକ୍ଷିତ ଗୋଷ୍ଠୀ–ଭଦ୍ର ସମାଜ ।

 

ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲି–କ’ଣ କହୁଛନ୍ତି ସେମାନେ ? ତମ ବିରୁଦ୍ଧରେ କୁତ୍ସା ?

 

ସେ ହୋ ହୋ ହେଇ ହସି ଉଠିଲା । କହିଲା–ହାତୀ ଚାଲେ, କୁକୁର ଭୁକେ । ହେଲେ ହାତୀ ତିଳେ ହେଲେ ପଛକୁ ଫେରି ଚାହେଁନା । ଏକା ଦେବଗଡ଼ କାହିଁକି, ସାରା ବିଶ୍ୱ ଯଦି ମୋ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ, ତଥାପି ମୁଁ ଅଚଳଅଟଳ ।

 

ମୁଁ ଅସହିଷ୍ଣୁ ହେଇ ଉଠିଲି–କିନ୍ତୁ କ’ଣ କହୁଛନ୍ତି ସେମାନେ ?

 

ଆଃ, ସିଏ ଅନେକ କଥା । କ’ଣ ମିଳିବ ସେଥିରୁ ?

 

ତଥାପି ଟିକିଏ ଶୁଣେ ।

 

ସେହିଦିନର ଦୁର୍ଘଟଣା ଠାରୁ ସାରା ଦେବଗଡ଼ରେ ହୁରି ପଡ଼ିଛି ଚଣ୍ଡୀ ଚଣ୍ଡୀ ବୋଲି । କିଏ କହୁଛି ମଦନ ସାଙ୍ଗରେ ତା’ର ଭାବ ଥିଲା । ମଦନ ପାଇଁ ମଳୟ ଉପରେ କଲା ଚଢ଼ଉ, ଆଉ କିଏ କହୁଛି ଅଶୋକ ସାଙ୍ଗରେ ତା’ର ଗୁପ୍ତ ପ୍ରଣୟ । ଅଶୋକର ଇଙ୍ଗିତରେ....

 

ମାଳା ! –ମୁଁ ଚିତ୍କାର କରି ଉଠିଲି । ଲଜ୍ଜାରେ ତା’ ମୁହଁକୁ ଚାହିଁବାକୁ ସାହସ ହେଲାନି ।

 

ଡରୁଛନ୍ତି ଆପଣ ?

 

ମୁଁ ଡରୁଥିଲି କି ନାହିଁ କହିପାରିବି ନାହିଁ । କିନ୍ତୁ କ’ଣ ଉତ୍ତର ଦେବି ଖୋଜି ପାଉ ନ ଥିଲି-

 

କହିଲା–ଗଣ୍ଡାର ଦେଖିଛନ୍ତି ? ପ୍ରାଚୀନ ଚର୍ମ ଭଳି ଯା’ର ଦେହ । ସେଠି ଝଙ୍କାର ନାଇଁ, ଟଙ୍କାର ନାଇଁ, ହୁଙ୍କାର ନାଇଁ । କିଛି ଥରେଇ ପାରେନା ତା ଛାତି–କିଛି ଭେଦି ପାରେ ନା ତା’ ବଜ୍ର କଠିନ ଦେହ–

 

...ମାନେ ?

 

ସେହି ଗଣ୍ଡାର–ସେହି ଗଣ୍ଡାର ଦେହରେ ଆଣି ଛୁଞ୍ଚିଟିଏ ଫୋଡ଼ୁଛନ୍ତି ଏହି ନିର୍ବୋଧ ଲୋକେ !! ଶିବ ପାଖରେ ସର୍ପର ଫୁତ୍କାର !! ହାଃ, ହାଃ, ହାଃ, ହାଃ, ହାଃ, ହାଃ ।

 

ମୁଁ ସତେ ସତେ ଡରି ଯାଇଥିଲି । କେଡ଼େ ଅପରିଣାମଦର୍ଶିନୀ ଏଇ ତରୁଣୀ । ଏ ଦୁଃସାହସ ଗୋଟିଏ ଅବଳା ପକ୍ଷରେ ସୁନ୍ଦର ନୁହେଁତ । କହିଲି–ମୋର ଭୟ ହୁଏ, ତମେ ବୋଧେ ଭୁଲ୍‌ କରୁଛ ମାଳା !

 

ଭୁଲ୍‌ ? ମୋର ଭୁଲ୍‌ ?? –ତା’ର ଭ୍ରୂ କୁଂଚିତ ହେଇ ଆସିଲା ।

 

କହିଲି–ରାଣୀ ଶୂକଦେଈଙ୍କ ଭଳି ଯିଏ ଲାଲଘୋଡ଼ାରେ ଚଢ଼ି ଲମ୍ଫ ଦେଇପାରେ ଜଳନ୍ତା ନିଆଁ ଭିତରକୁ, ମୁଁ ତା’କୁ ସ୍ୱାଗତ କରେ–ଅଭିନନ୍ଦନ ଜଣାଏ । କିନ୍ତୁ ମୋର ଭୟ ହୁଏ, ସେହି ବ୍ୟୁହ ଭିତରୁ ବୋଧେ ସହଜେ ବାହାରି ଆସି ପାରିବେ ନାହିଁ ରାଣୀ । ସେହି ନିଆଁ ହୁଏତ ଶେଷରେ ଆସି ଛୁଇଁବ ତାଙ୍କର ରକ୍ତ କପୋଳ...

 

ସେ ହସି ହସି ଫାଟି ପଡ଼ିଲା । କହିଲା–ମୋର ତ ଭୟ ହୁଏ ଆପଣ ନାରୀ ନା ପୁରୁଷ-!!

 

...ମାଳା !

 

ଝଡ଼ ଦେଖି ଇଗଲ ଖୁସି ହୁଏ । ଲୁହ ଢାଳେ ନିର୍ଜୀବ ବଣି ।

 

‘କିନ୍ତୁ ଯଦି ବ୍ୟାଧ ଆସି ଇଗଲର ବେକ ମୋଡ଼ି ଦିଏ ?’

 

ଇଗଲ ମରିବା ଆଗରୁ ବ୍ୟାଧର ଆଖି ଦି’ଟା ଅନ୍ତତଃ ଖୋଳି ଦେଇଯିବ–ଏଇଟା ନିଶ୍ଚିନ୍ତ ଭାବେ ଜାଣି ରଖନ୍ତୁ ।

 

କଅଁଳେଇ ଡାକିଲି–ମାଳା ! ବାୟାଣୀ ହୁଅ ନାହିଁ । ଯେତେ ଯୁକ୍ତି କଲେ ବି ତମର ସେଦିନ ସେ ମଦୁଆଙ୍କ ଭିତରକୁ ଯିବା ଉଚିତ ହେଇନି । ତମେ ନାରୀ । ତମ ଅଙ୍ଗେ ଅଙ୍ଗେ ଫାଟି ପଡ଼ୁଛି ଭରା ଯୌବନ । ଏ ରୂପ ନେଇ ନିରୋଳା ରଜନୀରେ କୌଣସି ପୁରୁଷ ପାଖକୁ ଯିବା କ’ଣ ଉଚିତ ?

 

ସେ ଆହୁରି ହୋ ହୋ ହସିଲା । କହିଲା–ପୁରୁଷ ଧରିନେବ–ଏଇ ଭୟ–ନା ?

 

କହିଲି–ନିଶ୍ଚୟ । ଖାଲି ତ ପୁରୁଷ ନୁହେଁ, ଗୁଡ଼ାଏ ଜ୍ଞାନଶୂନ୍ୟ ମାତାଲ । ସେଥିରେ ପୁଣି ତମର ଏଇ ପଦ୍ମିନୀ ଭଳି ଦାଉ ଦାଉ ରୂପ...

 

ଆହୁରି ନିଷ୍ଠୁର ଭାବେ ହସି ହସି ସେ କହିଲା–ପଦ୍ମିନୀ ଭଳି ଯା’ର ରୂପ ଅଛି, ସେ ପଦ୍ମିନୀ ଭଳି ମରି ଜାଣେ ଅଶୋକବାବୁ ପଦ୍ମିନୀ ଭଳି ମରି ଜାଣେ । ଆଲ୍ଲାଉଦିନ୍‌ର କଳାହାତ ଛୁଇଁବା ଆଗରୁ ସେ ଗୋରାଦେହ ହଜେଇ ଦେଇପାରେ ଜଳନ୍ତା ନିଆଁରେ–

 

ମାଳା ! –ମୁଁ ଚିତ୍କାର କରି ଉଠିଲି । ମା’ କାନ୍ଦି ଉଠିଲେ ଭୋ ଭୋ । କହିଲେ–‘ଏଇ ବୁଦ୍ଧି–ଏଇ ବୁଦ୍ଧିରେ ଅଶୋକ । ଏଇଆକୁ ନେଇ ମୁଁ କ’ଣ କରିବି ? ଇଏ ତ ଦିନ ଦି’ପହରେ ମୋ ତଣ୍ଟିରେ ଖୁର ଦେଇଦେବ ।’...

 

ମା’ ସେମିତି କାନ୍ଦୁଥାନ୍ତି । ମେଘମାଳା ସେମିତି ହସି ହସି କହିଲା–ମରଣକୁ ଡରନ୍ତି ଆପଣ ? ଗୋଟାଏ ମରଣ ଯଦି ଦଶଟା ମଡ଼ା ଦେହରେ ଜୀବନ ଖେଳେଇ ଦିଏ–ଫୁଟେଇ ଦିଏ ପୁଲକର ପଦ୍ମ, ତା ହେଲେ ସେ ମରଣ ତ ନିତ୍ୟ ଶ୍ରେୟଃସ୍କର । ସେଇ ମରଣରେ ହିଁ ଚରମ ଗୌରବ–ପରମ ଶାନ୍ତି ।

 

ସ୍ତବ୍‌ଧ ହେଇ ମୁଁ ତା ମୁହଁକୁ ଚାହିଁଲି । ଏଇ ଛୋଟ ମଣିଷଟି ଭିତରେ କେଡ଼େ ବିରାଟ ମଣିଷ ଲୁଚି ରହିଛି–କଳନା କରି ପାରିଲି ନାହିଁ । ଭକ୍ତିରେ ମଥା ନଇଁ ଆସିଲା ।

 

–ସାତ–

 

ସୁନ୍ଦରଗଡ଼ । ସୁନ୍ଦରଗଡ଼ର ସୁନାଫୁଲିଆ ଛାତି ଉପରେ ବସନ୍ତ ଆସିଥାଏ । କୃଷ୍ଣଚୂଡ଼ାରେ ଫାଟି ପଡ଼ୁଥାଏ ରାସ୍ତାଘାଟ । ଶ୍ୟାମଳ ନୀଳ ବନାନୀ କୋଳରେ ଫୁଟିଥାଏ ଅସୁମାରୀ ପଲାଶ । ବାତାୟନ ଖୋଲି ମୁଁ ସେଇ ଅତୁଳ ରୂପରାଶି ଆକଣ୍ଠ ପାନ କରୁଥିଲି, ଡାକପିଅନ ଆଣି ଚିଠି ଖଣ୍ଡିଏ ଦେଇଗଲା । ଓଲଟାଇ ଦେଖିଲି–ଦେବଗଡ଼... ମୁଁ ଚମକି ପଡ଼ିଲି ।

 

ବାମଣ୍ଡା ଛାଡ଼ିବା ଦୁଇମାସ ହୋଇଗଲାଣି । ମତେ କେନ୍ଦ୍ର କରି ଯୋଉ କୁତ୍ସିତ ଜନରବ ଖେଳି ଯାଇଥିଲା ବାମଣ୍ଡା ସାରା, ସେଥିରେ ମୁଁ ମର୍ମାହତ ହୋଇଥିଲି । ମୋ’ରି ପାଇଁ ଦେବୀଙ୍କ ଦେହରେ କଳଙ୍କର ପଙ୍କ । ଲଜ୍ଜାରେ, ଦୁଃଖରେ, ଅନୁତାପରେ ମୁଁ ସଢ଼ିଗଲି । ବାମଣ୍ଡା ନ ଛାଡ଼ି ଉପାୟ ନ ଥିଲା ।

 

ସେହି ବାମଣ୍ଡା–ସେହି ଶ୍ୟାମଳ କୋମଳ ସ୍ୱପ୍ନିଳ ଦେବଗଡ଼ ଚକ୍ଷୁର ପଲକରେ ଆଖି ଆଗରେ ନାଚି ଉଠିଲା । ଭାସି ଉଠିଲା ଦୁଇଟି ସଜଳ ଆଖି–ନୀରବ, ଶାନ୍ତ, କରୁଣ । ଥରି ଥରି ଗୋଟିଏ ସ୍ୱର ଆସିଲା–‘ମୁଁ ଜାଣେ ମୁଁ ମଲେ ତମେ ଆସିବ । ମୁଁ ବଞ୍ଚିଥିଲା ଯାଏ ଆସିବ ନାହିଁ, ମୁଁ ତମର କେହି ନୁହେଁ–କେହି ନୁହେଁ ।’

 

ଅନ୍ତର ଫଟାଇ ଦୀର୍ଘଶ୍ୱାସ ଉଠି ଆସିଲା । ହାତ ଥରିଲା ଚିଠିଟି ଖୋଲିବାକୁ । କ’ଣ ସିଏ ଲେଖିଥିବ ? ହୁଏ ତ କାନ୍ଦି କାନ୍ଦି ମଥା ପିଟି ଦେଇଥିବ ଭୂଇଁରେ । ଆସିବା ବେଳେ ତାକୁ ଦେଖା ବି କରି ନାହିଁ ।

 

ଦଣ୍ଡେ ଗଲା । ଥରଥର ହାତରେ ଚିଠିଟିକି ଖୋଲିଦେଲି । ...ଏଁ ମେଘମାଳା କାହିଁ ? ଯାହାପାଇଁ ମୋ ଅନ୍ତରର ଗୋପନତମ ତନ୍ତ୍ରୀ ଥରିଉଠିଛି, ଏତ ସେ ନୁହେଁ, ଏ ଯେ ମଳୟ–

 

କୌତୂହଳ ଭାଙ୍ଗିଗଲା । ବଡ଼ ବିରକ୍ତ ଲାଗିଲା । ତଥାପି ଚିଠିଟି ପଢ଼ିଲି–

 

ଭାଇ ଅଶୋକ !

 

ମୁଁ ଯେ ଆଜିଯାଏ ବଞ୍ଚି ରହିଛି, ଏହାଠାରୁ ବଳି ନିର୍ଲଜ୍ଜ କଥା ଦୁନିଆରେ ଆଉ ନାହିଁ । ନର୍ଦ୍ଦମାର ଲାଙ୍ଗୁଡ଼ା ପୋକ ଅପେକ୍ଷା ନିକୃଷ୍ଟ ମୋର ଜୀବନ । ମୋର ଜନ୍ମ ବିଷ୍ଠା ଖାଇବା–ନିଜ ମା’କୁ କୋଳରେ ବସେଇ ମା’ ମୁହଁରେ ଚୁମ୍ବନ ଦେବା !!

 

ଇସ୍‌, ଘୃଣାରେ ମୋ ଆପାଦମସ୍ତକ ଥରି ଉଠିଲା । କ’ଣ ଲେଖିଛି ଏ ଚଣ୍ଡାଳ ? ପୁଣି କ’ଣ ଏ ଫେରିଗଲା ନରକକୁ ? କଳା ଚିରଦିନଇଁ କଳା । ଅଙ୍ଗାରର ଆଉ କି ରଙ୍ଗ ହେବ ?

 

...ମୋର ଭୟ ହେଉଛି ଅଶୋକ ! ତୁ ବୋଧେ ପଢ଼ି ପାରିବୁ ନାହିଁ ଚିଠିଟି । ତୋ’ ଛାତି ଫାଟିଯିବ ଦୁଃଖରେ । ଆଖିରୁ ରକ୍ତ ଗଡ଼ି ଆସିବ । ଆଃ, ଅଶୋକ ! ତୁ କ’ଣ ଧୈର୍ଯ୍ୟ ଧରିପାରିବୁ-?

 

ମୁଁ ସତେ ସତେ ଅଧୀର ହୋଇ ପଡ଼ିଥିଲି । କ’ଣ ଲେଖିଛି ଇଏ ? କାହା କଥା ଲେଖିଛି ?

 

...ଯାହାକୁ ତୁ ଛାତିତଳର କଲିଜାଠାରୁ ବେଶୀ ଭଲ ପାଉ, ଯାହା ପାଦରେ କଣ୍ଟାଟିଏ ଢୁକିଲେ ତୋ’ ଛାତିରେ ଶେଳବିଦ୍ଧ ହେଲା ଭଳି ଲାଗେ, ସେଇ–ସେଇ ମେଘମାଳାକୁ...

 

ଆଃ ମଳୟ ! ମଳୟ !! –ମୁଁ ଚିତ୍କାର କରି ଉଠିଲି । ମୋ ମୁଣ୍ଡ ଧଡ଼ାସ୍‌କିନା ପିଟି ହୋଇଗଲା ଟେବଲ୍‌ ଉପରେ ।

 

...ମୁଁ ଜାଣେ ତୋ’ ଆଖି ଫୁଟି ରକ୍ତ ଛୁଟି ଆସିବଣି । କିନ୍ତୁ କ’ଣ କରିବି ? ନ କହି ରହି ପାରୁନି । ସେ ଦିନ ରାମନବମୀ ଯାତ୍ରା । ହଜାର ହଜାର ଲୋକ ରୁଣ୍ଡ ହୋଇଥାନ୍ତି ଯାତ୍ରା ପଡ଼ିଆରେ । ଗୀତ ବାଦ୍ୟ, ହଟ୍ଟଗୋଳରେ ଆକାଶ କମ୍ପୁଥାଏ । ଗୋଟିଏ ବଡ଼ ବରଗଛର ଶାଖା ଉପରେ ତନୁଲତାଟି ଢାଳି ଦେଇ ମୁଗ୍‌ଧ ନୟନରେ ଚାହିଁ ରହିଥାଏ ମେଘମାଳା...

 

ତା’ପରେ ? ତା’ପରେ ? –ମୁଁ ଉଦ୍‌ବିଗ୍ନ ହେଇ ପୃଷ୍ଠା ଓଲଟାଇଲି ।

 

...ସେହି ଯାତ୍ରାରେ ଦେଖା ହେଲା ମଦନ । କହିଲା–ମଳୟ ! ଚଣ୍ଡୀକି ଦେଖିଲୁଣି ? –ମୋର ସାରା ଅଙ୍ଗ ଜଳି ଉଠିଲା । ମନେ ହେଲା ଗୋଟାଏ ଥାପଡ଼ ମାରି ତା’ ମୁଣ୍ଡଟା ଛିଣ୍ଡେଇ ଦେବି । ସେ ମୋ ମନକଥା ବୁଝିପାରିଲା ବୋଧେ । କହିଲା–ସତେ, ତୁ ମଞ୍ଜରୀ ପାଖରେ ରହି ବଡ଼ ମାଇଚିଆ ହେଇଗଲୁଣି ରେ ମଳୟ । ସେଦିନ ସେ ତୋତେ ଏଡ଼େ ଧିକ୍କାର କରି କହିଲା । ପୋଲିସ୍‌ ଆଣି ହାତକଡ଼ି ଦେଇ ବଂଧେଇଲା । ତଥାପି ତୁ ତା’କୁ ମୁଣ୍ଡରେ ଟେକି ଧରିଛୁ । ଛି, ଛି ଏମିତି ଅଣପୁରୁଷା ପୁଣି ଦୁନିଆରେ ଥାଆନ୍ତି ।

 

ମୁଁ ଟିକିଏ ଦବିଗଲି । ମୋ ପୌରୁଷରେ ଆଘାତ ଲାଗିଲା ଖୁବ୍‌ । କହିଲି–କ’ଣ କହୁଛୁ ତୁ ?

 

କହିଲା–ତୁ କ’ଣ ବୁଝିବୁ ? ଭେଣ୍ଡା ସିନା ବୁଝେ । ତୋ ଭଳିଆ ମାଈ ମେଣ୍ଢା କ’ଣ ବୁଝିବ ?

 

ମଦନ ! ପୌରୁଷର ପରିଚୟ ନେବାକୁ ଚାହୁଁ ତୁ ?

 

ସେ ହୋ ହୋ ହସି ଉଠିଲା । କହିଲା–ମାଇପର କାନି ପଣତରେ ଯିଏ ଦିନରାତି ବନ୍ଧା–ଉଠୁ କହିଲେ ଉଠ୍‌, ବସ୍‌ କହିଲେ ବସ୍‌, ତା’ର ପୁଣି ପୌରୁଷ । ହାଃ, ହାଃ, ହାଃ...

 

ଲଜ୍ଜାରେ ମୋ ମୁହଁ ଜଳିଗଲା । ଆଉ କେତେଜଣ ବନ୍ଧୁ ଥାଆନ୍ତି । ସେମାନେ ଟିଟ୍ଟିକାର କରିବାକୁ ଲାଗିଲେ । କହିଲି–ତୋର ଭୁଲ୍‌ ଧାରଣା ମଦନ ! ମୁଁ କାହାରି କଥାରେ ବନ୍ଧା ନୁହେଁ । ମୋର ନିଜର ଯଥେଷ୍ଟ ସ୍ୱାଧୀନତା ଅଛି ।

 

ଅଛି ?

 

ନିଶ୍ଚୟ ଅଛି ।

 

ଆଚ୍ଛା ଦେଖି, ଏଇ ବିଲାତି ବୋତଲରୁ ଦି’ଟା ଡ୍ରପ୍‌...

 

ନା, ମଦ ନ ଖାଇବାକୁ ମୁଁ ଶପଥ କରିଛି, ତା’ କେବେ ହେଇ ପାରିବ ନାହିଁ ।

 

ସମସ୍ତେ ଠୋ ଠୋ ହସି ଉଠିଲେ, କହିଲେ–ଯଥେଷ୍ଟ ସ୍ୱାଧୀନତା ! ଯଥେଷ୍ଟ ସ୍ୱାଧୀନତା-!!

 

ସେହି ହସର ଲହରୀ ଯେମିତି କୁନ୍ତ ଫୋଡ଼ିଲା ଭଳି ମୋ ଛାତିରେ ଫୋଡ଼ିଦେଲା । କଲିଜା ଚିରି ରକ୍ତ ପିଚିକି ଆସିଲା । ମୁଁ ନିଜକୁ ମୋଟେ ସମ୍ଭାଳି ପାରିଲି ନାହିଁ । ଏତେ ଲୋକଙ୍କ ଆଗରେ ବି ଆଖି ହୋଇଗଲା ଛଳଛଳ । କହିଲି–କାହିଁ ? କାହିଁ ମଦନ ? ଦେ’...

 

ସେ ଡରିଗଲା । କହିଲା–ଖାଇବୁ ?

 

କାହିଁକି ଖାଇବି ନାହିଁ ? ମୋ ଉପରେ କିଏ କଣ ନବାବ ?

 

କିନ୍ତୁ ମଳୟ ! –ସେ ମୋ ହାତଧରି ପକେଇଲା–ନା ନା ତୁ ଫେରି ଯା’ । ମଞ୍ଜରୀ ଶୁଣିଲେ...

 

ଲୋକମାନେ ସେମିତି ଟିପିଟିପି ହସୁ ଥାଆନ୍ତି । କହିଲି–ମଞ୍ଜରୀ ଛାଡ଼ି ତା’ର ବାପ ଆସିଲେ ବି ମୋର କିଏ କ’ଣ କରିବ ଦେଖିବି... ତା’ ହାତରୁ ଛଡ଼େଇ ଆଣି ଢକଢକ ପିଇଦେଲି ଅଧ ବୋତଲ ଯାଏ । ...ସେ ବୋତଲ ଛଡ଼େଇ ନେଲା । ମୁଁ ସେଇଠି ବସି ପଡ଼ିଲି ।

 

ପ୍ରାୟ ଅଧଘଣ୍ଟା ପରେ ମଦନ କହିଲା–ଚାଲ୍‌, ତୋତେ ଘରେ ଛାଡ଼ି ଆସିବି । କହିଲି–ପରଓ୍ୱା ନାଇଁ, ମୁଁ ଏକା ଚାଲିଯିବି । ଟଳିଟଳି ବାହାରିଲି । ମଦନ ମୋ ପଛେ ପଛେ ଆସୁଥାଏ । ତରୁଣୀଟିଏ କିଏ ଗୋଛାଏ କୁରେଇଁ ଫୁଲ ମଥାରେ ଖୋସି କିରି କିରି ହସୁଥାଏ । କହିଲି–ଇଏ କିଏ ବେ ? କହିଲା–ସିଏ ଯିଏ ହଉ, ତୁ ଚାଲ୍‌ ।

 

ନା ନା, କହ ସେ କିଏ ?

 

ସେ ମେଘମାଳା ।

 

ଓ, ଚଣ୍ଡୀ ? ଚାଲ୍‌ ନା ତା’ ପାଖକୁ ଯିବା ।

 

ସିଏ ମୋ ଦୁଇ ଗୋଡ଼ ଜାବୁଡ଼ି ଧରିଲା । କହିଲା–ନା, ଆଜି ନୁହେଁ, ଆଜି ନୁହେଁ ।

 

ଅଲ୍‌ବତ୍‌ ଆଜି । ଦେଖିବି କୋଉ ଶଳା ଆସିବ ମୋ ପାଖକୁ–ତା’କୁ ଠେଲି ଦେଇ ମୁଁ ଚାଲିଗଲି ମେଘମାଳା ପାଖକୁ । ମେଘମାଳା ବରଗଛର ଅନୁଚ୍ଚ ଶାଖାଉପରେ ତନୁ ଢାଳି ଠିଆ ହୋଇଥିଲା । ତା’ର ବିଶ୍ୱବିମୋହିନୀ ରୂପ ମତେ ପାଗଳ କରିଦେଲା । ମନ ହେଲା ତା’କୁ ଗୋଟିପଣେ ବୁକୁ ଉପରେ ଜଡ଼ାଇଧରି ତା’ ମୁହଁରେ ଅଜସ୍ର ଚୁମା ଛାଇଦେବି । ...ମୁଁ ଅନ୍ଧ ହେଇଗଲି । ଚଉଦିଗ ଅନ୍ଧାର ଦିଶିଲା ମତେ । ଧାଇଁ ଯାଇ ଧରି ପକାଇଲି ତା’କୁ । ଦି’ ହାତରେ ଦଳି ଦେଲି ତା’ ଛାତିର କମନୀୟ ଲୋଭନୀୟ ସୁନାଫୁଲ !!

 

...ଆଃ, ଆଃ ଅଶୋକ ! ଅଶୋକ !! ତୁ କ’ଣ ପଢ଼ୁଛୁ ଏ ଚିଠି ? ତୋ’ର ରକ୍ତ ବାନ୍ତି ହେଇ ନାଇଁ ତ ??

 

... ତା’ ପରେ ? –ତା’ପରେ ଯା’ ଅନୁମାନ କରୁଥିବୁ । ଚଟକଣା ନୁହେଁ, ଚଟି ସିଇଁ ହେଇଗଲା ଗାଲରେ । ସିଂହଛୁଆ ବାଣୁଆକୁ ଡରିବ କାହିଁକି ? ନିଜେ ମରିବ ପଛକେ ବାଣୁଆକୁ ଘାଉଲା ନ କରି ସେ କ’ଣ ଛାଡ଼ିବ ?

 

ପାରୁ ତ ଶୀଘ୍ର ଆ’ । ଦେଖାହେଲେ ଆଉ ସବୁ ।

 

ତୋ’ର

ମଳୟ

 

ରକ୍ତ ହିମ ହେଇ ଯାଇଥିଲା ମୋର । ବାଣୁଆ କି ସିଂହ କିଏ ବେଶୀ ଘାଉଲା ହେଲେ ବୁଝି ପାରିଲି ନାହିଁ । ତେବେ ସିଂହଟା ଯେ ବଞ୍ଚିବ ନାଇଁ–ଏଇଆ ଯେମିତି ମୋ ଅନ୍ତରରେ କିଏ ତୁହାଇ ତୁହାଇ କହିଦେଲା । ଚିଠିଟିରେ ଘନଘନ ଚୁମ୍ବନ ଦେଇ ମୁଁ ଭୋ ଭୋ କାନ୍ଦି ଉଠିଲି ।

 

ଅଫିସ୍‌ର କ’ଣ ଗୋଟାଏ ଜରୁରୀ କାମ ଥାଏ । ମତେ ହଠାତ୍‌ କଳାହାଣ୍ଡି ଯିବାକୁ ପଡ଼ିଲା । ସୁତରାଂ ଯେତେ ଇଚ୍ଛା ଥିଲେ ବି ଦେବଗଡ଼ ଯାଇ ପାରିଲି ନାହିଁ । ପନ୍ଦର ଦିନ ପରେ–ଦିନେ ସକାଳେ ବସି ଖବରକାଗଜ ପଢ଼ୁଛି, ଟେଲିଗ୍ରାମ୍‌ ଆସି ପହଞ୍ଚିଲା–ଅବସ୍ଥା ସାଂଘାତିକ । ଶୀଘ୍ର ଆ’–

 

ମଳୟ !

 

ମୁଁ ଡରିଗଲି । କ’ଣ ଅବସ୍ଥା ହେଇପାରେ ? ହୁଏତ ମାଳା ମଳୟ ନାଁରେ କେଶ୍‌ କଲା । ହୁଏ ତ ରାମନାରାୟଣ ବାବୁ ଝିଅର ଚିନ୍ତାରେ ଶଯ୍ୟାଶାୟୀ ହେଲେ । ହୁଏ ତ ମା’ଙ୍କ ଦେହ ଅତିଶୟ ହେଲା । ନାନା ଆଡ଼ୁ ନାନା ଚିନ୍ତା ଆସିଲା ମନକୁ । ଭାବି କିଛି କୂଳ କିନାରା ପାଇଲି ନାହିଁ ।

 

ଦି’ଟା ବସ୍‌ରେ ଯିବାକୁ ଜିନିଷପତ୍ର ସଜାଡ଼ୁଛି, ଚିଠି ଆସିଲା । ଏକ୍‌ସପ୍ରେସ୍‌ ଚିଠି । ଚଟ୍‌ପଟ୍‌ ଖୋଲିଦେଲି । ହଁ, ଦେବଗଡ଼ରୁ ଆସିଛି । ତେବେ ମଳୟ ଲେଖିନି । ଲେଖିଛି ବସନ୍ତ ।

 

ଅଶୋକ !

 

ମଳୟ ଚିଠିରୁ ସବୁ ବୁଝିଥିବୁ । ଅବସ୍ଥା ଅତି ସାଂଘାତିକ । ବସିଲା ସ୍ଥାନରୁ ଉଠି ଆ’ । ମୁଁ ମଧ୍ୟ ସଂପୂର୍ଣ୍ଣ ଭଲ ହେଇନି । ବାଡ଼ି ଧରିଧରି ଚାଲୁଛି । ତଥାପି ଏ ଖବର ଶୁଣି ରହି ପାରିଲି ନାହିଁ ।

 

କାଉଁରିଆ ନଏଁ ନାହିଁ, ଭାଙ୍ଗିଯାଏ । କିନ୍ତୁ କଥାଟା ଶୁଣିବାକୁ ଯେତେ ଭଲ ଲାଗେ, ଦେଖିବାକୁ ସେତେ ଭଲ ଲାଗେ ନା । ବରଂ ତୁ ଦେଖିଲେ ବୋଧେ ମୁଣ୍ଡ ପିଟି ଦେବୁ । ମେଘମାଳା ଆଜି କାଉଁରିଆ ହେଇ ଭାଙ୍ଗିଯିବାକୁ ବସିଛି !

 

ସେଦିନ ରାମନବମୀ ଯାତ୍ରାର ସେହି ଦୁର୍ଘଟଣା ପରେ ପରେ ତାର ବନ୍ଧୁମାନେ ତାକୁ ବହୁ ଅନୁନୟ କଲେ ନୀରବ ରହିଯିବାକୁ । କିନ୍ତୁ ସେ ଯେଭଳି ଝିଅ–ଜଳନ୍ତା ନିଆଁଝୁଲ ଖଣ୍ଡେ–ସେ କ’ଣ ରହିପାରିବ ? ସେ ଦର୍ପିତା ଫଣିନୀ ଭଳି ଗର୍ଜନ କରି ଉଠିଲା–ହାରାମ୍‌ଜାଦା କୁକ୍କୁର । ତୁ ମୋ ଦେହରେ ହାତ ଦେଇଛୁ । ମୁଁ ଆଜି ତୋ ରକ୍ତ ପିଇବି । ...ଯାହା ତ ରକ୍ତ ସେ ପିଇଲା ପିଇଲା, ଲୋକେ କିନ୍ତୁ ତା’ର ବେଶୀ ରକ୍ତ ପିଇବାର ସୁଯୋଗ ପାଇଲେ ।

 

ସଜ ଗୋବରରେ ଅଂସେଇ ବସାନ୍ତି ଏଇ ଲୋକେ । ସେଦିନର ସେଇ ସାମାନ୍ୟ ଘଟଣାରୁ କେତେ କଦର୍ଥ ଯେ ଲୋକେ ବାହାର କଲେ, ତା’ର ସୀମା ନାହିଁ । ଶଙ୍କର ଆଉ ବିଭୂତି ପୁଣି ନିଆଁରେ କୁଟା ପକେଇଲେ । ସାହିରେ ସାହିରେ, ଘରେ ଘରେ ବ୍ୟାପିଗଲା ଏ ଖବର । କିଏ କହିଲା–ମାଳାକୁ ଗୋଟିପଣେ ଟେକି ନେଲା ମଳୟ । କିଏ କହିଲା–ଏକା ମଳୟ ନୁହେଁ, ଆହୁରି ପାଁ’ ଜଣ । କିଏ କହିଲା–ଦଶଜଣ ବଛା ବଛା ଗୁଣ୍ଡା । ସେ ଆଖିରେ ଦେଖି ଆସିଛି । କିଏ ବା କହିଲା–ରାସ୍ତା କଡ଼ରେ ମାଳା ଅଚେତ୍‌ ହେଇ ପଡ଼ିଥିଲା । ପୋଲିସ୍‌ର ଲୋକେ ତାକୁ ଉଠେଇଲେ-। ...ଏମିତି କେତେ ବିଚିତ୍ର, କେତେ ଅଦ୍‌ଭୁତ, କେତେ ଅସଭ୍ୟ କଥା ଯେ ବାମଣ୍ଡା ସାରା ବ୍ୟାପିଗଲା, ତା ଶୁଣିଲେ ସ୍ତମ୍ଭୀଭୂତ ହେବାକୁ ହୁଏ ।

 

...ମାଳା ଏ ସବୁ ଶୁଣି ପହିଲେ ଠୋ ଠୋ ହସିଲା । ଏତେ ସହଜରେ ଦବି ଯିବାର ଝିଅ ସେ ନୁହେଁ । କିନ୍ତୁ ବାପା ଦବିଲେ । ମା’ ଆଉ ବିଛଣାରୁ ଆଖି ଖୋଲି ଚାହିଁଲେ ନାହିଁ । ଗୋଟାଏ କ’ଣ ତିଥି ଥିଲା । ରାମନାରାୟଣ ବାବୁ କିଛି ସଂପତ୍ତି ବିକି ଜ୍ୱାଇଁ ପାଇଁ ଘଡ଼ି ସାଇକେଲ୍‌ କିଣି ଆଣିଲେ । ଝିଅକୁ ଅଷ୍ଟ ଅଳଙ୍କାରରେ ମଣ୍ଡି ଦେଇ ସେଇ ତିଥିରେ ଶ୍ୱଶୁରାଳୟ ପଠାଇ ଦେଲେ । କିନ୍ତୁ ?...କିନ୍ତୁ ?...କିନ୍ତୁ ?

 

ଅଶୋକରେ ! କଲମ ଆଉ ଚାଲୁ ନାହିଁ । କ’ଣ ଲେଖିବି ? ତୋ’ର ବୋଧେ ମୂର୍ଦ୍ଧନା ଫାଟିଯିବ ଶୁଣିଲେ ।

 

ଅପବାଦର ଡିବିଡିବି ନାଗରା ଶ୍ୱଶୁର ଘର ଗାଁରେ ମଧ୍ୟ ବାଜୁଥିଲା । ହେଲେ ପହିଲେ କିଛି ଜଣା ପଡ଼ିଲା ନାହିଁ । ଶ୍ୱଶୁର ବୋହୂକୁ ଘରକୁ ନେଲେ । ସମୁଦିଙ୍କୁ ଖୁବ୍ ଆଦର ଅଭ୍ୟର୍ଥନା କଲେ । ରାମନାରାୟଣ ବାବୁ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିଲେ ।

 

କିନ୍ତୁ ତିନୋଟି ଦିନ–ମୋଟେ ତିନୋଟି ଦିନ । ମଧୁଶଯ୍ୟା ଦିନ ରାତିରେ–ଯେତେବେଳେ ବୋହୂ ଗଲେ ବାସର ଘରକୁ, ସେଠି ବାସର ପ୍ରଦୀପ ଜଳୁନାହିଁ । ସଜ ଗୋଲାପରେ ସଜା ହେଇନି ଚଉଠି ଶେଯ । ଅତରର ମହମହ ସୁବାସ ପ୍ରସରି ଯାଉନି ମଳୟ ପବନରେ । ମଳୟ ବେଳେ ପ୍ରଳୟ ଘୋଟି ଆସିଲା ମେଘମାଳାର । ଦେହର ସମସ୍ତ ଆୟ ଅଳଙ୍କାର ଛଡ଼ାଇ ରଖି ସ୍ୱାମୀ ଧକ୍‌କା ଦେଇ ବାହାର କରିଦେଲେ ଘରୁ । କହିଲେ–କୁଳଟା ! ତୋ’ର ମୁହଁ ଚାହିଁଲେ ହିଁ ପାପ । ତୋତେ ମରଣ ହେଲା ନାହିଁ, ଶେଷରେ ବେଶ୍ୟାଗିରି କଲୁ ।

 

ମେଘମାଳା ଅଚେତ୍‌ ହେଇ ପଡ଼ିଗଲା । ସ୍ୱାମୀ ତା’ ଉପରେ ପୁଣି ମାରିଲେ ଗୋଟାଏ ଗୋଇଠା । ତଳେ ପଥର ପାହାଚ ଥିଲା । ମେଘମାଳା ଗଡ଼ଗଡ଼ ହେଇ ଆସି ପିଣ୍ଡାତଳେ କଚାଡ଼ି ପଡ଼ିଲା । ଦେହ, ମୁଣ୍ଡ, ନାକ ରକ୍ତ ଜୁଡ଼ୁବୁଡ଼ୁ ।

 

ତିନି ଦିନ ତିନି ରାତି ବହିଗଲାଣି । ଖଡ଼ି ଛ’ ମୁଣ୍ଡା ଛିଣ୍ଡିଲାଣି । ତଥାପି ସେ ବୁଝୁ ନାହିଁ । ଅନ୍ୟାୟର ପ୍ରତିବାଦ ପାଇଁ ସେଇଠି ପଡ଼ିପଡ଼ି ସେ ଅନଶନ କରିଛି । କାହାର ଅନ୍ୟାୟ ମୁଁ ବି ବୁଝୁନି–ମଳୟର ନା ଦୁନିଆର ନା ଶ୍ୱଶୁରର ନା ସ୍ୱାମୀର ??

 

ଯଦି ପାରୁ, ଉଡ଼ିକରି ଆ’ । ନଚେତ୍‌ ତା’କୁ ଦେଖି ପାରିବୁ କି ନାହିଁ ସନ୍ଦେହ...

 

ତୋର

ବସନ୍ତ

 

ଚାକର ଟୋକା ବସ୍‌ ଟିକେଟ୍‌ ଆଣି ଦେଲା । ବସ୍‌ ଟିକେଟ୍‌ ଫୋପାଡ଼ି ଦେଇ ନବଭାଇର ମଟର ସାଇକେଲ୍‌ ଧରି ମୁଁ ଛୁଟିଲି ।

 

ଠିକ୍‌ ବାମରା ଷ୍ଟେସନ ପାଖରେ ମଟର ସାଇକେଲ୍‌ ଖରାପ ହେଲା । ମୋର ଯେମିତି ଅଧେ ରକ୍ତ ଶୁଖିଗଲା ଦେହର । ଭାଗ୍ୟ ଭଲ । ବସ୍ ମିଳିଗଲା । ବସ୍‌ରେ ଉଠିଲି । କୁଚିଣ୍ଡା ପାର ହେଇଛି, ହଠାତ୍‌ କ’ଣ ହେଲା, ମୋ ମୁଣ୍ଡ ଝାଇଁ ଝାଇଁ ବୁଲେଇ ଦେଲା । ଆଖିରୁ ବାହାରି ପଡ଼ିଲା ଜୁଳୁଜୁଳିଆ ପୋକ । ମନେ ହେଲା ଯେମିତି ଆଉ ନାହିଁ–ଆଉ ନାହିଁ ! ଆକାଶ ଦେହରେ ମିଶିଗଲା ମେଘମାଳା । ମୁଁ କଇଁ କଇଁ ହେଇ କାନ୍ଦିଉଠିଲି । ସମସ୍ତେ ତଟସ୍ଥ ହେଇ ମତେ ଚାହିଁଲେ-। ତୁହାଇ ତୁହାଇ ଭାସିଆସିଲା ସେଇ କରୁଣ ସ୍ୱର–‘ମୁଁ ଜାଣେ ମୁଁ ମଲେ ତମେ ଆସିବ ଲୁହ ଗଡ଼େଇବା ପାଇଁ, ବଞ୍ଚିଥିଲା ଯାଏ ଆସିବ ନାହିଁ । ମୁଁ ତମର କେହି ନୁହେଁ–କେହି ନୁହେଁ ।’ ମୁଁ ବେଶୀ ବେଶୀ କାନ୍ଦି ଉଠିଲି ।

 

ମତେ ଆଉ ମୁହୂର୍ତ୍ତେ ଭଲ ଲାଗିଲା ନାହିଁ । ପିଞ୍ଜରାବଦ୍ଧ ପକ୍ଷୀ ଭଳି ମୁଁ ଖାଲି ଛଟପଟ ହେବାକୁ ଲାଗିଲି, କେତେବେଳେ... ? କେତେବେଳେ ପହଞ୍ଚିବ ଏ ଗାଡ଼ି ? ସତେ କ’ଣ ମୁଁ ତାକୁ ଦେଖି ପାରିବି ନାହିଁ ?? ମାଳା ! ମାଳା !! ...ଆଖି ଫାଟି ପଡ଼ିଲା ଲୁହରେ । ଦିଗ୍‌ବିଦିଗ ଶୂନ୍ୟ ହୋଇ ମୁଁ ଖାଲି ଭୋ ଭୋ କାନ୍ଦିଲି ।

 

ଗାଡ଼ି ପୁରୁଣାଗଡ଼ ପାରି ହୋଇଗଲା । ହେଇ ଦେବଗଡ଼ ଦୁଶୁଛି । ଆଉ ପାଞ୍ଚ ମିନିଟ୍‌ ବି ଲାଗିବ ନାହିଁ । କିନ୍ତୁ ଯହୁଁ ଯହୁଁ ନିକଟ ହେଲି, ତହୁଁ ତହୁଁ ଛାତି ଦବିଲା । ଦୂରରେ ଥିଲେ ପାଖକୁ ଆସିବାକୁ ଇଚ୍ଛା ହେଉଥିଲା । କିନ୍ତୁ ପାଖକୁ ଆସିଲାବେଳକୁ ମୋଟେ କାହିଁକି ସାହସ ହେଲାନି ଗାଡ଼ିରୁ ଓହ୍ଲେଇବାକୁ । ଭାରୀ ଡର ମାଡ଼ିଲା । ମୁଁ ଗୋଟିପଣେ ଥରିବାକୁ ଲାଗିଲି ।

 

ହେଇ, ଦେବଗଡ଼ରେ ପ୍ରାୟ ପହଞ୍ଚିଗଲା ଗାଡ଼ି । ଦୁର୍ଗାସେଠଙ୍କ ପେଟ୍ରୋଲ୍‌ ଗୋଦାମ ପାରି ହୋଇଗଲାଣି । ଆଉ ମିନିଟିଏ–ମୋଟେ ମିନିଟିଏ ମାତ୍ର । କିନ୍ତୁ... କିନ୍ତୁ... ହଠାତ୍‌ ଗାଡ଼ି ଅଟକି ଗଲା କାହିଁକି ? କାହିଁକି ଏଠି ଏତେ ଲୋକ ? କାହିଁକି ଏଠି ହାହାକାର ? କାହିକିଁ ଏଠି କ୍ରନ୍ଦନର ଉଚ୍ଚରୋଳ ??

 

ଚାହିଁଦେଲି–ଗୋଟିଏ ବରଗଛରେ ଓହଳି ପଡ଼ିଛି ଜଣେ ନାରୀ !!!

 

ମୁଁ ଚିତ୍କାର କରି ମଟର ଭିତରୁ ଡେଇଁପଡ଼ିଲି–ମାଳା ! ମାଳା !! ମାଳା !!! –ଭୋ ଭୋ କାନ୍ଦି କାନ୍ଦି ଯାଇଁ ଲୋଟିପଡ଼ିଲି ତା’ ଉପରେ... ସେଇ ରାମନବମୀ ଯାତ୍ରା ପଡ଼ିଆ... ସେଇ ବରଗଛ...ସେଇ ଡାଳ... ଡାଳଧରି ଶୋଇ ପଡ଼ିଛି ମେଘମାଳା !!! ଏତେବେଳ ଯାଏ ବି ରସି ଝୁଲୁଛି ବେକରେ ।

 

ମଳୟ ଧାଇଁଆସିଲା । ମୋ ଗୋଡ଼ଧରି ଲୋଟି ପଡ଼ିଲା ଭୂଇଁରେ । କହିଲା–ଅଶୋକ ! ଅଶୋକ !! ମୁର୍‌ଦାର୍‌ ଆଜି ଜୀବନ ପାଇଛି । କିନ୍ତୁ ଯିଏ ଜୀବନ ଦେଲା, ସେ ହେଇ ଯାଇଛି ମୁର୍‌ଦାର୍‌–ମୁର୍‌ଦାର୍‌ । ...ମୋ ଗୋଡ଼ ଜାବୁଡ଼ି ଧରି ସେ ବେଶୀବେଶୀ କାନ୍ଦିଉଠିଲା । ବସନ୍ତ କଇଁକଇଁ କାନ୍ଦୁଥାଏ । ଲୁହ ସିଂଘାଣି ଏକାକାର ହେଉଥାଏ ମଞ୍ଜରୀର । ରାମନାରାୟଣ ବାବୁ ଅନ୍ଧ ହେଇ ଭୂଇଁ ଅଣ୍ଡାଳୁଥାନ୍ତି ।

 

କିଏ ଜଣେ ଆସି ଖବର ଦେଲା–ମା’ ଚାଲିଗଲେ !!

 

ମୋର କିନ୍ତୁ କୁଆଡ଼କୁ ଲକ୍ଷ୍ୟ ନାହିଁ । ମୁଁ ଖାଲି ସେଇ ଝାଉଁଳା ମୁହଁଟିକି ଅପଲକ ନୟନରେ ଚାହିଁ ରହିଛି । ଆଖି ଫାଟି ଝର୍‌ଝର୍‌ ରକ୍ତ ଝରୁଛି । କାନରେ ଶୁଭୁଛି ପଦିଏ କଥା...ପଦ୍ମିନୀ ଭଳି ଯା’ର ରୂପ ଅଛି, ସେ ପଦ୍ମିନୀ ଭଳି ମରି ଜାଣେ ଅଶୋକବାବୁ ! ପଦ୍ମିନୀ ଭଳି ମରିଜାଣେ !!

Image